ଭୁବନେଶ୍ବର: ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଶୁକ୍ରବାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019-20 ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମିଳନୀ କକ୍ଷରେ ଲାପଟପ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଲାପଟପ ବିତରଣ ହେବ । ଚଳିତବର୍ଷ ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତରୁ ଯୁକ୍ତଦୁଇର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଜରିଆରେ ଲାପଟପ ବିତରଣ କରାଯିବ ।
ବିଜୁ ସଶକ୍ତିକରଣ ଯୋଜନାରେ 2013 ମସିହା ଠାରୁ ମାଗଣା ଲାପଟପ ବଣ୍ଟନ କରାଯାଉଛି । ଏହି ଯୋଜନାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିବର୍ଷ 15 ହଜାର ଲାପଟପ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦାୟ 90 ହଜାର 203 ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟାଯାଇଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।
ରାଜ୍ୟ ସରକାରଙ୍କ 5 ଟି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯାଇ 2019-20 ବର୍ଷ ନିମନ୍ତେ 15 ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ