ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜରେ ୪ ଛାତ୍ର ନିଖୋଜ । ଦୀର୍ଘ ଦୁଇଦିନ ଧରି ଏହି ଇଞ୍ଜିନିୟରିଂ ଛାତ୍ରମାନେ ନିଖୋଜ ପରେ ପରିବାର ଲୋକଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଛାତ୍ରମାନେ ହେଲେ ବିହାରର ଆଦିତ୍ୟ କୁମାର, ଶେଖର ସିଂ ରାଜପୁତ, ଝାଡଖଣ୍ଡର ବିଶାଲ ପାଣ୍ଡେ ଏବଂ ତ୍ରିନେତ୍ର କୁମାର । ସମସ୍ତ ଛାତ୍ର କଳିଙ୍ଗ ବିହାର କେ ୬ ଏଚାଇଜି ପ୍ଲଟ ନମ୍ବର ୨୦ରେ ଭଡାରେ ରହୁଥିଲେ ।
ସେମାନେ ରହୁଥିବା ଭଡା ଘରର ଜିନିଷପତ୍ର ସବୁ ଏଣେତେଣେ ପଡିଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ୪ ଜଣଙ୍କୁ ଅପହରଣ କରାଯାଇଥିବା ସେମାନଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ବର୍ତ୍ତମାନ ସେମାନଙ୍କ ପରୀକ୍ଷା ଥିବାବେଳେ ପରୀକ୍ଷା ନ ଦେଇ କୁଆଡେ ଗଲେ ତାହା ଖୋଜା ପଡିଛି । ସେପଟେ ପୋଲିସ ଟ୍ରାକିଂରୁ ସମସ୍ତ ନିଖୋଜ ଛାତ୍ରଙ୍କ ଲୋକେସନ ସମ୍ବଲପୁରରେ ଜଣାପଡିଛି ।
ତେବେ ଛାତ୍ରମାନେ କୋଣସି ଦୁର୍ଘଟଣାର ଶିକାର ହୋଇନାହାନ୍ତି ତ ? ନା ଏହା ପଛରେ କୌଣସି ଅପହରଣକାରୀଙ୍କ ହାତ ଅଛି ? ଅଥବା ଜାଣି ଶୁଣି ଛାତ୍ରମାନେ କୁଆଡେ ଯାଇଛନ୍ତି ? ଏଭଳି ତମାମ୍ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ ପୋଲିସ ୨୪ ଘଣ୍ଟା ବିତିଥିଲେ ସୁଦ୍ଧା ସେମାନଙ୍କ କୌଣସି ସୁରାକ ନ ପାଇବା ପରିବାର ଲୋକଙ୍କୁ ହରଡଘଣାରେ ପକାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ