କଟକ: ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ଶେଷକୃତ୍ୟ ସମୟରେ ଉପଯୁକ୍ତ ରାଷ୍ଟ୍ରୀୟ ମାର୍ଯାଦା ପ୍ରଦାନରେ ଅବହେଳା ପ୍ରସଙ୍ଗ ନେଇ ଦାୟର ହୋଇଛି ମାମଲା । ଏହି ମାମଲାରେ ରାଜ୍ୟ ଗୃହ ବିଭାଗ ଅଣ୍ଡର ସେକ୍ରେଟାରି ପି.ସି.ପୃଷ୍ଟିଙ୍କ ପକ୍ଷରୁ ଦାଖଲ ଜବାବ ଦାଖଲ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ପରେ ସମ୍ମାନ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ ପ୍ରସଙ୍ଗରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ରହିଛି ।
ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି, ରାଜ୍ୟର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓ ପୂର୍ବତନ ସାଂସଦଙ୍କ ପରଲୋକ ପରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ପାଇଁ ଏହି ନିର୍ଦ୍ଦେଶନାମାରେ ବ୍ୟବସ୍ଥା ନାହିଁ । କିନ୍ତୁ ଜିଲ୍ଲା ପ୍ରଶାସନ, ହାଇକୋର୍ଟ ଓ ବିଭିନ୍ନ ସରକାରୀ ବିଭାଗର ଅନୁରୋଧରେ ରାଜ୍ୟ ସରକାର କେତେକ ପ୍ରମୁଖ ବ୍ୟକ୍ତିଙ୍କ ପରଲୋକ ପରେ ଅନ୍ତିମ ସଂସ୍କାର ସମୟରେ ପୋଲିସ ସମ୍ମାନ ପ୍ରଦାନ କରୁଛନ୍ତି । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ, ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ଅନୁରୋଧ ଗୃହ ବିଭାଗ ପାଇନାହିଁ ।
ତେଣୁ ଏମାନଙ୍କୁ ପୋଲିସ ସମ୍ମାନ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁରୋଧରେ ଓଡ଼ିଆ କଳାକାର ଅଜିତ ଦାସଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜୟ ମହାନ୍ତିଙ୍କୁ ପୋଲିସ ସମ୍ମାନ ପ୍ରଦାନ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ସ୍ବର୍ଗତ କରଙ୍କ ପରଲୋକ ପରେ ପୋଲିସ ସମ୍ମାନ ପାଇଁ ଏଭଳି କୌଣସି ଅନୁରୋଧ ମିଳିନଥିଲା । ତାଙ୍କ ଶବଶତ୍କାର ସମୟରେ ଗାର୍ଡ ଅଫ୍ ଅନର/ପୋଲିସ ସମ୍ମାନ ପ୍ରଦାନ ପାଇଁ ଭୁବନେଶ୍ବର ଡିସିପିଙ୍କୁ ଅନୁରୋଧ କରାଯାଇଥିଲା ।
ଅକ୍ଟୋବର ୧୨ ତାରିଖରେ ସୂର୍ଯ୍ୟାସ୍ତ ପରେ ଶରତ କୁମାର କରଙ୍କ ଅନ୍ତିମ ସଂସ୍କାର କରାଯାଇଥିବାରୁ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇନଥିଲା । ମର ଶରୀର ନିଆଯିବା ବେଳେ ପୋଲିସ ଏସକର୍ଟ ପ୍ରଦାନ କରାଯାଇଥିଲା । ଏଥିସହିତ ଶ୍ମଶାନରେ ଦୁଇ ସେକ୍ସନ ପୋଲିସ ମୁତୟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏପରି ସତ୍ୟପାଠ ପରେ ନୂଆ ବିବାଦ ମୁଣ୍ଡ ଟେକିଛି । ଶେଖ ମତଲୁବ ଅଲ୍ଲୀଙ୍କୁ ପୁଲିସ ସମ୍ମାନ ପ୍ରଦାନ ପାଇଁ ନିର୍ଦ୍ଦେଶ ନଥିଲା ବୋଲି ସତ୍ୟପାଠରେ କୁହାଯାଇଥିବା ବେଳେ ପ୍ରକୃତ ପକ୍ଷେ କିନ୍ତୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।
ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବତନ ବାଚସ୍ପତି ଓ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଶରତ କୁମାର କରଙ୍କ ଗତ ଅକ୍ଟୋବର ୧୨ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା । ଏହାପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଏହି ସମୟରେ ରାଜ୍ୟ ସରକାର ଯେଉଁ ସମ୍ମାନ ପ୍ରଦାନ କରିବା କଥା ତାହା ପ୍ରଦାନ କରି ନଥିଲେ ବୋଲି ଆବେଦନକାରୀ ଦେବେନ୍ଦ୍ର କୁମାର ସାହୁ ଦର୍ଶାଇଛନ୍ତି । ଶରତ କୁମାର କରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ । ଏଥି ସହିତ ତାଙ୍କୁ ମରଣୋତ୍ତର ଭାବେ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ