ଭୁବନେଶ୍ବର: ରାଜ୍ୟ ବିଜେପିର ଭୁଶୁଡୁଛି ସଂଗଠନ । ବଳ ଗୋଟାଉଛି ବିଜେଡି । ଶକ୍ତି ହରାଉଛି କଂଗ୍ରେସ । ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳର ନେତା ଆମଦାନୀ ଜାରି ରହିଛି । ପୂର୍ବରୁ ପଶ୍ଚିମ ଉତ୍ତରରୁ-ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ଶିବିର ଖାଲି କରିବାରେ ବିଜେଡି କୋ ଆଣ୍ଡ ଟିମ ।
ଆଜି ପୁଣି କେନ୍ଦୁଝରର ଜିଲ୍ଲାର ଟାଣୁଆ ନେତା ତଥା ଚମ୍ପୁଆର ପୂ୍ର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଧୁ(Champua Former mla Dhanurjay Sidhu) ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ସ୍ବାଗତ କରିଥିଲେ ।
ବର୍ଷ ୨୦୦୪-୨୦୦୯ ପର୍ଯ୍ୟନ୍ତ ଧନୁର୍ଜୟ ସିଧୁ କଂଗ୍ରେସ ବିଧାୟକ ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଜିଲ୍ଲାର ଅନ୍ୟତମ ବିଧାନସଭା କ୍ଷେତ୍ର ତେଲକୋଇରୁ ଲଢି ପରାସ୍ତ ହୋଇଥିଲେ । ପରେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ପୁଣି ସେହି ତେଲୋକଇରୁ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେଡିର ପ୍ରାର୍ଥୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ନିକଟରୁ ପରାସ୍ତ ହୋଇଥିଲେ ।
ପରେ ଦଳରେ ଅବହେଳା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ବିଜେପି ଛାଡିଥିଲେ । ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହେବାପରେ ଧନୁର୍ଜୟ କହିଛନ୍ତି ବିଜେପି କଂଗ୍ରେସ ଦିଶାହୀନ ରାଜନୀତି କରୁଛନ୍ତି । ଦଳରେ ନୀତି ଆଦର୍ଶ ନାହିଁ । ଉଭୟ ଦଳ ବିକାଶ ଚାହୁଁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟର ବିକାଶ ଦ୍ରୁତ ଗତିରେ ଜାରି ରହିଛି । ନବୀନଙ୍କ ନୀତି ଆଦର୍ଶରେ ଅନୁ ପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ଆଗାମୀ ଦିନରେ ଜିଲ୍ଲାରେ ବିଜେଡିକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ