ଭୁବନେଶ୍ବର: ପୌର ନିର୍ବାଚନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ୱାର୍ଡ ସଂରକ୍ଷଣ ( ward reservation) ଓ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ଆଉ ଏହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷ । ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ମେଳି କଲେଣି ପୂର୍ବତନ କର୍ପୋରେଟର । ରାଜନୈତିକ ପ୍ରଣୋଦିତ ତାଲିକା ପ୍ରକାଶ କରାଯାଇଥିବା ଅଭିଯୋଗ କରିଛନ୍ତି ଏହି ପୂର୍ବତନ କର୍ପୋରେଟର । ଆବଶ୍ୟକ ପଡିଲେ କୋର୍ଟ ଯିବାକୁ ଚେତାବନୀ ଦେଲେଣି ଏମାନେ ।


ପୌର ନିର୍ବାଚନ ନେଇ ଭୁବନେଶ୍ବର ମହାନଗର ନିଗମ ( Bhubaneswar Municipal Corporation) ର ତାଲିକା ପ୍ରକାଶ ପାଇଛି । ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ରାଜନୈତିକ ଜୀବନ ପୂର୍ଣ୍ଣଛେଦ ପଡିବା ଆଶଙ୍କା କରିଛନ୍ତି କିଛି ପୂର୍ବତନ କର୍ପୋରେଟର । ଯେଉଁ ଭଳି ଢଙ୍ଗରେ ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି, ଅଧାରୁ ଅଧିକ ପୂର୍ବତନ କର୍ପୋରେଟରଙ୍କ ସ୍ଥିତି ଦୋହଲି ଯାଇଛି । ଯଦି ପ୍ରକାଶ ପାଇଥିବା ତାଲିକା ଅନୁସାରେ ସଂରକ୍ଷଣ ହୁଏ ତେବେ ଉକ୍ତ ୱାର୍ଡରେ ନିଜେ କିମ୍ବା ସମ୍ପର୍କୀୟ ନିର୍ବାଚନ ଲଢିପାରିବେନି ।

ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଭୁବନେଶ୍ବର ମହାନଗର ନିଗମରେ ବେଶ ଭଲ କାର୍ଯ୍ୟ କରିଥିବା ଓ ଦବଦବା ଥିବା କିଛି ପୂର୍ବତନ କର୍ପୋରେଟରଙ୍କ କ୍ଷମତା ସଙ୍କୁଚିତ କରିବା ଲାଗି ଏହି ତାଲିକା ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି କିଛିଦିନ ତଳେ ମେଳି ବାନ୍ଧିଥିଲେ 20 ରୁ ଅଧିକ ପୂର୍ବତନ କର୍ପୋରେଟର ।

ଜୟଦେବ ବାଟିକାରେ ଆୟୋଜିତ ହୋଇଥିବା ଏହି ମେଳିରେ ଭୁବନେଶ୍ବର 3 ନିର୍ବାଚନ ମଣ୍ଡଳୀର ପୂର୍ବତନ କର୍ପୋରେଟର ସାମିଲ ହୋଇଥିଲେ । ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟର ଏକଜୁଟ ହୋଇଥିଲେ । ଏହି ତାଲିକାକୁ ବିରୋଧ କରି ନିଜ ନିଜ ବିଧାୟକଙ୍କ ନିକଟରେ ଫେରାଦ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଯଦି ଏଥିରେ ସମସ୍ୟାର ସମାଧାନର ବାଟ ନବାହାରେ ତେବେ ତାଲିକା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟର ।
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରହିଛି 67 ୱାର୍ଡ । ସେଥିମଧ୍ୟରୁ 35 ଟି ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଏଥିରେ ସାଧାରଣ ବର୍ଗ ମହିଳାଙ୍କ ପାଇଁ 20, ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ 6, ପଛୁଆ ବର୍ଗ ମହିଳାଙ୍କ ପାଇଁ 9 ଟି ସଂରକ୍ଷିତ ରହିଛି ।
ଅବଶିଷ୍ଟ ଥିବା ୱାର୍ଡ ନଂ 1, 3, 4, 6, 7, 9, 16, 19, 20, 28, 30, 39, 45, 51, 52, 59, 60, 61 ଓ 65 । ଏହି ସମସ୍ତ ଆସମନେ ଉଭୟ ସାଧାରଣ ବର୍ଗଙ୍କ ପାଇଁ ରହିଛି । ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ମାନେ ପ୍ରତିଦ୍ବନ୍ଦିତା କରିପାରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ