ଭୁବନେଶ୍ବର: ସାରା ବିଶ୍ବ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । କୋଭିଡ୍-୧୯ ମହାମାରୀ ସମଗ୍ର ପୃଥିବୀ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । କେବଳ ମାନବ ସମାଜ ବା ଜୀବଜଗତ ଏହାଦ୍ବାରା ପ୍ରଭାବିତ ହୋଇନାହିଁ, କୋଭିଡ୍-୧୯ ଦ୍ବାରା ରାଜନୀତି, ଅର୍ଥନୀତି, ସମାଜନୀତି ସବୁ କିଛି ଗଭୀର ଭାବରେ ପ୍ରଭାବିତ ହୋଇଛି । ଏଭଳି କଠିନ ପରିସ୍ଥିତିରେ ଯେତେବେଳେ ସାରା ବିଶ୍ବ ଏହି ମହାମାରୀର ମୁକାବିଲା କରିବା ନିମନ୍ତେ କଠୋର ସଂଘର୍ଷ କରୁଛି, ଏହାକୁ ପ୍ରତିହତ କରିବାରେ ଆମ ସମସ୍ତଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ବିକ୍ରମ କେଶରୀ ଆରୁଖ । ଲକଡାଉନର ଦ୍ବିତୀୟ ପର୍ଯ୍ୟାୟରେ ଜଙ୍ଗଲ ଓ ପରିବେଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ କଟକଣାମୁକ୍ତ କରାଯାଇଥିବାରୁ ସାମାଜିକ ଦୂରତ୍ବର ସଠିକ ଅନୁପାଳନ କରି ସମସ୍ତ କାର୍ଯ୍ୟକ୍ରମ କରିବାକୁ ଏବଂ ଏହି ସମୟରେ କର୍ମଚାରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପୂର୍ବାହ୍ନରେ ଅରଣ୍ୟ ଭବନ, ଭୁବନେଶ୍ବରଠାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଆରୁଖ ମୁଖତଃ କୋଭିଡ ମୁକାବିଲାରେ ବିଭାଗୀୟ ଅଧିକାରୀମାନଙ୍କ ଭୂମିକା, ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆ ଓ ତା’ର ପ୍ରତିରୋଧ, ଚିଡ଼ିଆଖାନାରେ ଜୀବଜନ୍ତୁ ଯତ୍ନ, ବନ୍ୟପ୍ରାଣୀଙ୍କ ସୁରକ୍ଷା, କେନ୍ଦୁପତ୍ର ତୋଳିବା କାର୍ଯ୍ୟ ଏବଂ ନର୍ସରୀ ପରିଚାଳନା ଆଦି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆରସିସିଏଫ ଏବଂ ଡିଏଫ୍ଓ ମାନଙ୍କ ସହିତ ଆଲୋଚନା କରିଥିଲେ ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷେତ୍ରୀୟ ବନ କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ସାନିଟାଇଜର, ମାସ୍କ, ଗ୍ଲୋଭସ୍ ଆଦି ଯୋଗାଇଦେବା, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଗଠିତ ୫ ଜଣିଆ ସୁରକ୍ଷା ବାହିନୀ ଦ୍ୱାରା ପ୍ରହରୀ ଦେବା, ଜିଲ୍ଲା ପ୍ରଶାସନକୁ କୋଭିଡରେ ସହଯୋଗ କରିବା ପାଇଁ ୫ ଜଣ ବନରକ୍ଷୀଙ୍କୁ ସର୍ବଦା ପ୍ରସ୍ତୁତ ରଖିବା, ପ୍ରାଣୀ ଉଦ୍ୟାନ ଓ ହରିଣ ପାର୍କରେ ଯଥାସମ୍ଭବ ସ୍ବଚ୍ଛତା ଅବଲମ୍ବନ କରିବା, ରୋଗ ସଂକ୍ରମଣ ପ୍ରତିରୋଧ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ଭୁବନେଶ୍ବରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ୪୨ ଜଣ ବନପାଳଙ୍କୁ ନିୟୋଜିତ କରାଯାଇଥିବା ଦାୟିତ୍ବ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ।
ଗତବର୍ଷ ଠାରୁ ୩ ଗୁଣା ଅଧିକା ଚାରା ଉତ୍ପାଦନର ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ୧୬ କୋଟି ୧୩ ଲକ୍ଷ ଚାରା ମଧ୍ୟରୁ ୯ କୋଟି ୨୯ ଲକ୍ଷ ଚାରା ଅପ୍ରେଲ ୩ ତାରିଖ ସୁଦ୍ଧା ଉତ୍ପାଦିତ ହୋଇଛି । ଅବଶିଷ୍ଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଅତିରିକ୍ତ ପ୍ରସ୍ତାବ ମନରେଗା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପଞ୍ଚାୟତିରାଜ ବିଭାଗର ଅନୁମୋଦନ ଲୋଡ଼ାଯାଇଛି । ତାଲାବନ୍ଦ ସମୟରେ ରାଜ୍ୟ ସରକାରଙ୍କ ୧୩ ଏପ୍ରେଲ ୨୦୨୦ ନିର୍ଦ୍ଦେଶନାମା ଅନୁଯାୟୀ କେନ୍ଦୁପତ୍ର କାର୍ଯ୍ୟପ୍ରଣାଳୀକୁ ଆଗେଇ ନେବା ପାଇଁ ଅନୁମୋଦନ ଦିଆଯାଇଛି । ଜଙ୍ଗଲ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ବନମଣ୍ଡଳ ଓ ବନଖଣ୍ଡ ଅଧିକାରୀମାନଙ୍କର ମିଳିତ ଗୋଟିଏ ଦିନର ଦରମା ହିସାବରେ ସମୁଦାୟ ୮୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି ।
ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡ. ମୋନା ଶର୍ମା କୋଭିଡ୍-୧୯ ସମ୍ପର୍କିତ ସମସ୍ତ ସରକାରୀ ନିର୍ଦ୍ଦେଶନାମାର ସଠିକ୍ ଅନୁପାଳନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଅବସ୍ଥାପିତ ବନଖଣ୍ଡ ଅଧିକାରୀମାନେ ଜିଲ୍ଲାସ୍ତରରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଆଜିର ଏହି ଭିଡ଼ିଓ କନ୍ଫରେନ୍ସିଂ ପିସିସିଏଫ୍ ଏବଂ ବନବାହିନୀ ମୁଖ୍ୟ ଡ. ସନ୍ଦୀପ ତି୍ରପାଠୀ, ପିସିସିଏଫ୍(କେନ୍ଦୁଲିଫ୍) ପ୍ରଭାକର ବେହେରା, ପିସିସିଏଫ୍ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ