ଭୁବନେଶ୍ବର: ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ବରକୁଳସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏହି ସମୀକ୍ଷା ବୈଠକ । ବୈଠକରେ ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ବିଭାଗୀୟ କାର୍ଯ୍ୟ ସଂପାଦନ କରିବା ପାଇଁ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକାରେ ଯେଭଳି ଅଧିକ ଉନ୍ନତି ଆସିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଚିଲିକା ବନଖଣ୍ଡର ସୁରକ୍ଷା ଏବଂ ପରିବେଶ ପ୍ରତି ଅଧିକ ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ଅଗ୍ରଗତିରେ ପରିଲକ୍ଷିତ ହେଉଥିବା ଅସୁବିଧା ଓ ସମସ୍ୟା ସଂପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନରେ ଯାଇ ମନ୍ତ୍ରୀ ନଳବଣ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଛନ୍ତି । ସେଠାରେ ସେ ପର୍ଯ୍ୟଟକମାନଙ୍କ ପାଇଁ ରହିଥିବା ସୁବିଧାସୁଯୋଗ ଏବଂ ବହିରାଗତ ତଥା ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ପଚାରି ବୁଝିଛନ୍ତି । ବୈଠକରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ମନୋଜ ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ପରିଚାଳନା ଅଧିକାରୀ ଖୁସୱନ୍ତ ସିଂଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ