ଭୁବନେଶ୍ବର: ରାଜ୍ୟରେ FCI ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ବିବାଦ ଲାଗି ରହିଛି । ଉଷୁନା ଚାଉଳ କିଣିବା ନେଇ କେନ୍ଦ୍ର ସରକାରଙ୍କୁ ସମବାୟ ସଚିବ ଗତ ସପ୍ତାହରେ ଭେଟିଛନ୍ତି । କେନ୍ଦ୍ର ସରକାର ଆଗାମୀ ସପ୍ତାହ ଭିତରେ ସବୁ ରାଜ୍ୟଙ୍କ ସହ ଆଲୋଚନା କରିବା ସହିତ ରାଜ୍ୟକୁ ସହଯୋଗ କରିବେ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ଉଷୁନା ଚାଉଳ କିଣିବା ନେଇ କେନ୍ଦ୍ର ସରକାରଙ୍କୁ ସମବାୟ ସଚିବ ଗତ ସପ୍ତାହ ଭେଟିଥିଲା । କେନ୍ଦ୍ର ସରକାର ଆଗାମୀ ସପ୍ତାହ ଭିତରେ ସବୁ ରାଜ୍ୟଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସକାରାତ୍ମକ ଭାବେ ଆଲୋଚନା ହୋଇ ଆମକୁ ଚିଠି ଦେଇଛନ୍ତି । ଏଥିଲାଗି କିଛି ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଆଶ୍ବାସନା ଦେଇଛନ୍ତି । କେନ୍ଦ୍ରସରକାର ଡାଟା ବେଶ୍ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟରେ FCI ଉଷୁନା ଚାଉଳ ଉଠାଇବା ପ୍ରସଙ୍ଗରେ ଯେଉଁ ବିବାଦ ଦେଖାଦେଇଥିଲା, ଏ ସଂକ୍ରାନ୍ତରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ସଂସଦରେ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ଯେତେ ବଳକା ଉଷୁନା ଚାଉଳ ଉତ୍ପାଦନ ହେବ, ସେସବୁ ଏଫସିଆଇ ସଂଗ୍ରହ କରିବ । ଚଳିତମାସ ୫ ତାରିଖ ସୁଦ୍ଧା ଏଫସିଆଇ ରାଜ୍ୟରୁ ୪ ଲକ୍ଷ ୯୩ ହଜାର ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିଛି ।
୨୦୨୦-୨୧ ରବି ଋତୁ ପାଇଁ ଏଫସିଆଇ ରାଜ୍ୟରୁ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନେଇଥିବା ନିଷ୍ପତ୍ତି ଉପରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦାନେ ରାଓସାହେବ ଦାଦାରାଓ ରାଜ୍ୟସଭାରେ କହିଛନ୍ତି ଯେ ଓଡ଼ିଶାରେ ଥିବା ଏସିଆଇ ଗୋଦାମରେ ମଧ୍ୟ ପର୍ଯ୍ୟାପ୍ତ ଚାଉଳ ଗଚ୍ଛିତ ରଖିବା ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟରୁ ଏଫସିଆଇ ଉଷୁନା ଚାଉଳ ସଂଗ୍ରହ କରିବା ନେଇ ଅତୀତରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏହି ବୁଝାମଣା ଆଧାରରେ ଏସିଆଇ ଚାଉଳ ସଂଗ୍ରହ କରିଆସୁଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ