ଭୁବନେଶ୍ବର: ରାତି ପାହିଲେ ଜାଗର ବା ମହାଶିବରାତ୍ରୀ । ଏଥିପାଇଁ ସମସ୍ତ ଶିବ ମନ୍ଦିର ମାନଙ୍କରେ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ଏକାମ୍ରକ୍ଷେତ୍ରର ଅଧୀଶ୍ଵର ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ବର ଫୁଲ ବ୍ୟବସାୟୀ ମହାସଂଘ ମନ୍ଦିରକୁ ସଜାଇବାରେ ଲାଗିଥିବା ଦେଖିବାକୁ ମିଳୁଛି ।
ଭୁବନେଶ୍ବର ସ୍ମାର୍ଟ ସିଟି ହେଉଥିବାବେଳେ ଏଥର ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ବକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାରଙ୍କ ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସୁସଜ୍ଜିତ କରିବା ସହ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ବର୍ଗୀୟ ଭାବ ପ୍ରଦାନ ପାଇଁ ଏପରି ପ୍ରୟାସ କରାଯାଉଥିବା କହିଛନ୍ତି ମହାସଂଘର କର୍ମକର୍ତ୍ତା ।
ଦୀର୍ଘ 3 -4ବର୍ଷ ହେବ ସଂଘ ଏପରି ମନ୍ଦିର ପ୍ରତି ସେବା ଯୋଗାଉ ଥିବାବେଳେ ଏବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରାଯିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଭିନ୍ନ ପ୍ରକାର ଫୁଲରେ ମନ୍ଦିର ମୁଖଶାଳା ସହିତ ଭୋଗମଣ୍ଡପକୁ ସଜ୍ଜିତ କରାଯାଉଥିବା ସେ କହିଛନ୍ତି । ଏଥିପାଇଁ 10-15 ଲକ୍ଷ ଟଙ୍କାର ଫୁଲ ଲାଗୁଥିବାବେଳେ ମନ୍ଦିରକୁ ସଜ୍ଜିତ କରିବାକୁ 100ରୁ ଊର୍ଦ୍ଧ୍ବ କାରିଗର ସକାଳୁ ଲାଗିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ