ଭୁବନେଶ୍ବର: ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ । ଏଥର ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ, ଜଳସମ୍ପଦ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏସମସ୍ତ ବିଭାଗକୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, 5'ଟି' ସଚିବ ଭିକେ ପଣ୍ଡିଆନ ଉପସ୍ଥିତ ଥିଲେ ।
'ମୋ ସରକାର'ରେ ଏହିସବୁ ବିଭାଗ ସାମିଲ ହେବା ପରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ସାମିଲ ହୋଇଥିବାରୁ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ, ହସ୍ତତନ୍ତରେ ଓଡିଶାର ଏକ ଭିନ୍ନ ପରିଚୟ ରହିଛି । ୫'ଟି' ଆଧାରରେ ହସ୍ତତନ୍ତ, ହସ୍ତଶିଳ୍ପର ପୁଞ୍ଜିନିବେଶ, ନୂତନ ଡିଜାଇନ ପ୍ରଚଳନ ଓ ମାର୍କେଟିଂ, ବିକ୍ରୟ କେନ୍ଦ୍ର ସ୍ଥାପନ ଓ ଇକମର୍ସ ମାଧ୍ୟମରେ ମାର୍କେଟ ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ମୋ ସରକାରରେ ସାମିଲ ହେବା ପରେ ବରିଷ୍ଠ ବୁଣାକାର ସହାୟତା, ଟସର ଚାଷର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଏହା ସହ ସେମାନଙ୍କର ସମସ୍ୟା ବିଷୟରେ ସିଧାସଳଖ ସରକାରଙ୍କ ସହିତ ଆଲୋଚନା କରିପାରିବେ ବୋଲି କହିଛନ୍ତି ।
ସେହିପରି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ମୋ ସରକାରରେ ତାଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସବଡିଭିଜନ ଲେବଲ ଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ଫ୍ୟାସିଲିଟେସନ ସେଣ୍ଟର ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କ ବିଭାଗରେ ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଭତ୍ତା ଦିଆଯାଇଛି । ଏହା ସହ ୧୯ହଜାର ୫୨୬ଜଣ ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସେହିପରି 3 ହଜାର ୯୯ ଜଣ ନିରାଶ୍ରୟ ବିଧବାଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷା ଭତ୍ତା ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତରେ ୪୮ଲକ୍ଷ ୩୮ହଜାର ୫ଶହ ୪୮କୁ ବର୍ଦ୍ଧିତ କରାଯାଇଛି । ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ମାଧ୍ୟମରେ ୩୩୬ଟି ମେଗା କ୍ୟାମ୍ପ କରାଯାଇଛି । ୧ଲକ୍ଷ ୧୫ ହଜାର ୮୭ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ 'ମୋ ସରକାର' କାର୍ଯ୍ୟକ୍ରମ ଲାଗୁ ଅବସରରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ମତ୍ସ୍ୟଜୀବୀମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାଛ ଜାଆଁଳା ବର୍ଷ ସାରା ଉତ୍ପାଦନ କରିବା ନିମନ୍ତେ ଆଧୁନିକ ଜ୍ଞାନକୈଶଳ ସାଙ୍ଗକୁ ଟ୍ରେନିଂର ବ୍ୟବସ୍ଥା କରାଯାଇଛି । ଏତତବ୍ୟତୀତ ସବସିଡି ମାଧ୍ୟମରେ ମତ୍ସ୍ୟ ପୋଖରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହାସହ ରାଜ୍ୟର ଜଳଭଣ୍ଡାର ମାନଙ୍କରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମଧ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସମବାୟ ବିଭାଗରେ ମଧ୍ୟ 'ମୋ ସରକାର' ଲାଗୁ ହୋଇଛି । ସମବାୟ ବିଭାଗ ବିଭିନ୍ନ ଅଫିସକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ