ଭୁବନେଶ୍ବର: ପୁଣି ବଢିଲା ଗାଡି ଫିଟନେସ ଓ ପରମିଟ ସମୟସୀମା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର 30 ତାରିଖ ଯାଏଁ ଅବଧିକୁ ବୃଦ୍ଧି କରାଯାଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି ହୋଇଛି ।
ରାଜ୍ୟରେ କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗାଡି ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍ସ, ଫିଟନେସ ସାର୍ଟିଫିକେଟ ,ଡ୍ରାଇଭିଂ ଲାଇସେନ୍ସ ସମେତ ମାଲ ପରିବହନ କରୁଥିବା ଗାଡି, ଘରୋଇ ସେବା ଯୋଗାଉଥିବା ଗାଡି ଓ ଶିକ୍ଷାନୁଷ୍ଠାନ ବସ ଗୁଡିକର ପରମିଟ ବୈଧତାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା 21ତାରିଖରୁ ସ୍ଲଟ ବୁକିଂ ହେବ । ଗାଇଡଲାଇନ ଅନୁସାରେ ଏ ବର୍ଗରେ 17ଟି ଜିଲ୍ଲାକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଡିଏଲ ଟେଷ୍ଟକୁ ଅନୁମତି ମିଳିଛି ।
ଗାଡ଼ିର ବୀମା, ପଲ୍ୟୁସନ୍ ଓ ସାମୟିକ ପରମିଟ୍ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧିର ବୈଧତା ୨୦୨୦ ମାର୍ଚ୍ଚ ୧୮ରୁ ଶେଷ ହୋଇଛି ଅବା ୨୦୨୧ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ଶେଷ ହୋଇଯିବ ସେହି ଦସ୍ତାବିଜଗୁଡ଼ିକ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ । କାରଣ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ୨୦୨୦ ମାର୍ଚ୍ଚ ୧୮ରୁ ରଦ୍ଦ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ