ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳତା ଜୀବନରୁ କିଛି ସମୟ ଅବସର ନେବା ପାଇଁ ଲୋକମାନେ ଆପଣାଇଥାନ୍ତି ବିଭିନ୍ନ ପନ୍ଥା । ନିଜ ନିଜର ରୁଚି ଅନୁସାରେ ଲୋକମାନେ ଖାଲି ସମୟକୁ ଅତିବାହିତ କରିଥାନ୍ତି । ତେବେ ଅବସାଦଗ୍ରସ୍ତ ମନକୁ ବଦଳାଇବା ପାଇଁ ବହି ପଢାର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆଉ ବହି ପଢିବା ପାଇଁ ଦରକାର ଶାନ୍ତ ପରିବେଶ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଜୁ ପଟ୍ଟନାୟକ ପାର୍କ ବା ଫରେଷ୍ଟ ପାର୍କରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ(BDA) ଓ ବକୁଳ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଖୋଲିଛି ଏକ ଲାଇବ୍ରେରୀ । ତେବେ ଯୁବପିଢିକୁ ପୁସ୍ତକ ପଢିବା ଲାଗି ପ୍ରୋତ୍ସାହନ ଯୋଗାଇବା ପାଇଁ ବିଶ୍ବ ଜଙ୍ଗଲ ଦିବସ ଅବସରରେ ଏହି ପାର୍କକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି ।
ରାଜଧାନୀରେ ପ୍ରଥମ ଥର ପାଇଁ ପାର୍କ ମଧ୍ୟରେ ଖୋଲିଛି ଏହି ଲାଇବ୍ରେରୀ । ବିଡିଏ ଏବଂ ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ପାର୍କ ଲାଇବ୍ରେରୀ ଆରମ୍ଭ ହୋଇଛି । ଏହି ଲାଇବ୍ରେରୀରେ ବର୍ତ୍ତମାନ ୨ ହଜାର ବହି ରହିଛି । ଲାଇବ୍ରେରୀଟି ପ୍ରତ୍ୟେକ ସପ୍ତାହର କେବଳ ସୋମବାର ଦିନ ବନ୍ଦ ରହିବାକୁ ଥିବା ବେଳେ ଅନ୍ୟ ସବୁଦିନ ସକାଳ ୭ରୁ ଦିନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ପାର୍କକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ପାର୍କ ବୁଲିବା ସହିତ ଏଠାରେ ଜ୍ଞାନ ଆହରଣ କରିପାରିବେ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ପୂର୍ବରୁ ଏଠାରେ ଟ୍ରି ବା ବୃକ୍ଷ ଲାଇବ୍ରେରୀ ଖୋଲାଯାଇଥିବା ବେଳେ ଏଥିରେ 50ରୁ ଊର୍ଦ୍ଧ୍ବ ବହି ରହିଥିଲା । ତେବେ ଜ୍ଞାନ ଆହରଣ ପାଇଁ ପ୍ରାକୃତିକ ପରିବେଶ ଏକ ଅନୁକୂଳ ପରିବେଶ ହୋଇଥିବା ବେଳେ ଏହି ପାର୍କ ଲାଇବ୍ରେରୀ ବିଡିଏ ପକ୍ଷରୁ ଏକ ଉତ୍ତମ ପଦକ୍ଷେପ ହୋଇପାରିଛି । ପୂର୍ବରୁ ରାଜଧାନୀରେ ଲାଇବ୍ରେରୀ ଅନ ହ୍ଵିଲ, ରୋଡ ସାଇଡ ଲାଇବ୍ରେରୀ, ମୁକ୍ତାକାଶ ଲାଇବ୍ରେରୀ ଥିବା ବେଳେ ଏବେ ଏହି ପାର୍କ ଲାଇବ୍ରେରୀ ଖୋଲାଯାଇଛି । ଯାହାକୁ ଛାତ୍ରଛାତ୍ରୀ ମହଲରେ ସ୍ଵାଗତ କରାଯାଇଛି ।
ତେବେ ରାଜଧାନୀର ଫରେଷ୍ଟ ପାର୍କରେ ଶିଶୁଙ୍କ ଠାରୁ ଆରମ୍ଭ କରି ବଡ଼ଙ୍କ ଯାଏ ସମସ୍ତଙ୍କ ପାଇଁ ପ୍ରଥମ ମୁକ୍ତାକାଶ ପାଠାଗାର କରାଯାଇଥିବା ବେଳେ ଭୁବନେଶ୍ୱର ୧୦୦ରୁ ଊର୍ଦ୍ଧ୍ବ ପାର୍କ ରହିଛି । ତେଣୁ ଆଗାମୀ ଦିନରେ ଅନ୍ୟାନ୍ୟ ପାର୍କରେ ମଧ୍ୟ ପାର୍କ ଲାଇବ୍ରେରୀ ଖୋଲିବା ପାଇଁ ବିଡିଏ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସମୟରେ ଅନଲାଇନ ପାଠପଢା ମଧ୍ୟରେ ଯୁବପିଢିଙ୍କୁ ବହି ପଢିବାକୁ ପ୍ରୋତ୍ସାହନ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ