ଭୁବନେଶ୍ବର: ବିଭିନ୍ନ ସରକାରୀ ବିଭାଗ ଗୁଡିକ ଟ୍ରେଜେରୀରୁ ଟଙ୍କା ବାହାର କରି ବ୍ୟାଙ୍କ ଆକାଉଣ୍ଟରେ ଜମା ନ କରିବାକୁ ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା ଚେତାବନୀ ଦେଇଛନ୍ତି । ବରଂ ଯେତେବେଳେ ଖର୍ଚ୍ଚ ଆବଶ୍ୟକ ସେତେବେଳେ ଟ୍ରେଜେରୀରୁ ଟଙ୍କା କାଢିବାକୁ ସଚିବ କହିଛନ୍ତି ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏପରି କରୁଥିବା ଅଭିଯୋଗ ଆସିବା ପରେ ସଚିବ ଏହି ଚେତାବନୀ ଦେଇଛନ୍ତି । ଯଦି ଏହାପରେ ବ୍ୟାଙ୍କରେ ଟଙ୍କା ଜମାହେବାର କୌଣସି ଅଭିଯୋଗ ଆସେ ତେବେ ଏହାକୁ ଆର୍ଥିକ ଅନିୟମିତତା ବୋଲି ଧରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେପଟେ ହଠାତ କାହିଁକି ଏଭଳି ଚିଠି ଲେଖି ସତର୍କ କରାଇଲା ବିଭାଗ ସେନେଇ ନିଜେ ସଚିବ ସ୍ପଷ୍ଟ କରିଛନ୍ତି । ବ୍ୟାଙ୍କ ଗୁଡିକର ସ୍ଥିତିକୁ ନେଇ ଭୟ ସୃଷ୍ଟି କରିବା ଆମର ଉଦ୍ଦେଶ୍ୟ ନୁହେଁ । ହେଲେ ସିଏଜି ରିପୋର୍ଟରେ କିଛି ବିଭାଗରେ ଏଭଳି କରୁଥିବା ଜଣାପଡିବା ପରେ ଆମେ ଅଧିକାରୀମାନଙ୍କୁ ସତର୍କ କରାଇଥିଲୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ