ଭୁବନେଶ୍ବର: ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ ଆସନ୍ତା 4 ମାସ(ଏପ୍ରିଲ-ଜୁଲାଇ) ପାଇଁ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି । ତେବେ ବିଧାନସଭା ନିର୍ବାଚନ ନଥିବା ବେଳେ, କିମ୍ବା ଅନ୍ୟ କୌଣସି ସାମ୍ବିଧାନିକ ସ୍ଥିତି ଉପୁଜି ନଥିବା ବେଳେ ସରକାର ପୂର୍ଣ୍ଣାଙ୍ଗ ବଜେଟ ବଦଳେରେ ସରକାର କାହିଁକି କାମଚଳା ବଜେଟ ଆଣିଲେ ? ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଏକାଧିକ ପ୍ରଶ୍ନ ଉଠୁଥିବା ବେଳେ, ବିଧାନସଭାରେ ଏହାର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।
ବଜେଟ ଅଭିଭାଷଣ ପଢିବା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ତଥା ଫେବୃୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇଥିଲା । ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି (Code of conduct) ଜାରି କରିଥିଲେ । ଫଳରେ ସରକାର କୌଣସି ବିଭାଗର ମତାମତ ପ୍ରସ୍ତାବ ଗ୍ରହଣ କରିପାରିନଥିଲେ । ଏହାସହ ସଭ୍ୟ ମାନଙ୍କ ମତାମତ, ବିଭାଗ ୱାରୀ ଆବଶ୍ୟକତା ଓ ବିଶେଷଜ୍ଞଙ୍କ ପରାମର୍ଶ ସରକାର ନେଇପାରିନଥିଲେ ।
ଯଦ୍ବାରା ବଜେଟ ସମ୍ପର୍କିତ ବୈଧାନିକ ପ୍ରକ୍ରିୟା ସହ ବ୍ୟୟ ମଞ୍ଜୁରୀ ବିଧେୟକ(Appropriation Bill) ସହ ମାର୍ଚ୍ଚ 31 ପୂର୍ବରୁ ପାରିତ କରିବା ସମ୍ଭବ ନଥିଲା । ଏଣୁ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପରିବର୍ତ୍ତେ ସରକାର 2022-23 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ଏକ କାମଚଳା ବଜେଟ ଆଣିଛନ୍ତି । ଏହାଦ୍ବାରା ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା, ଓ ପ୍ରକଳ୍ପ ଗୁଡିକ ପାଇଁ ଆବଶ୍ୟକ ଖର୍ଚ୍ଚ ଯୋଗାଇ ଦେବାରେ ସରକାର ସକ୍ଷମ ହେବେ ବୋଲି ଅର୍ଥମନ୍ତ୍ରୀ ବିଧାନସଭାରେ କହିଛନ୍ତି ।
ତେବେ ବିଭାଗ ଓ୍ବାରୀ ଆବଣ୍ଟିତ ଅର୍ଥର 50 ପ୍ରତିଶତ ଖର୍ଚ୍ଚ କରିପାରିବେ ସମସ୍ତ ବିଭାଗ । କେବଳ ନିର୍ବାଚନୀ ଖର୍ଚ୍ଚ ଏବଂ ବିପର୍ଯ୍ୟୟ ପରିଚାଳନାକୁ ଏଥିରୁ ବାଦ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ