ଭୁବନେଶ୍ବର: ସୋମବାର ବିଜେଡି଼ର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତିତ୍ବ କରି ଦୁର୍ନୀତି ବିରୁଦ୍ଧରେ ଚାଲିଥିବା ଲଢେଇକୁ ଜୋରଦାର କରାଯିବ ବୋଲି କହିବା ସହିତ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ବୈଠକରେ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହିତ ରାଜ୍ୟରେ ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ଲଢେଇକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି । ଦୁର୍ନୀତି କରୁଥିବା କର୍ମଚାରୀଙ୍କ ବିରୋଧରେ ସରକାର ସବୁବେଳେ କଡା କାର୍ଯ୍ୟାନୁଷ୍ଠାନ ନେଇ ଆସିଛନ୍ତି । ଏଥିଲାଗି ରାଜ୍ୟ ଦୁର୍ନୀତି କ୍ଷେତ୍ରରେ ପଛୁଆ ରହିଛି ।
ଦୁର୍ନୀତିକୁ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ସାଧାରଣ କର୍ମଚାରୀଠୁ ମୁଖ୍ୟ ଶାସନ ସଚିବ, ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହି ତାଲିକାକୁ ସାର୍ବଜନୀନ କରାଯିବ । ଫଳରେ ଦୁର୍ନୀତିର ମାତ୍ରା କମିବ । ଦୁର୍ନୀତି ରୋକିବା ପାଇଁ ଏଭଳି କଡା ପଦକ୍ଷେପ ନେବାରେ ଓଡିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକାୟୁକ୍ତଙ୍କ ନିକଟରେ ଏହା ଦାଖଲ ହେବ । ଦେଶରେ ପ୍ରତିଷ୍ଠା ହୋଇଥିବା ଲୋକାୟୁକ୍ତଙ୍କ ମଧ୍ୟରୁ ଓଡିଶାର ଲୋକାୟୁକ୍ତ ଖୁବ୍ ଶକ୍ତିଶାଳୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ବୈଠକରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆସିଥିବା ପ୍ରସ୍ତାବକୁ ପାରିତ କରାଯାଇ ମନ୍ତ୍ରୀମାନଙ୍କୁ କାର୍ଯ୍ୟଭାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ