ଭୁବନେଶ୍ବର: ବିଧାନସଭା ଅଧିବେଶନ ଆରମ୍ଭ ହେଲେ ଗାନ୍ଧିମାର୍ଗରେ ଦାବି ପୂରଣ ପାଇଁ ଧାରଣା ଦେଇଥାନ୍ତି ଅନେକ ବିକ୍ଷୋଭକାରୀ । ରାଜ୍ୟର କୋଣ ଅନୁକୋଣରୁ ଆସନ୍ତି ଏମାନେ । ଏମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଯୁବତୀ-ମହିଳା ବି ଅଛନ୍ତି । ସମସ୍ତେ ରାଜଧାନୀର ରାସ୍ତା କଡରେ କିଟି କିଟି ଅନ୍ଧାର ମଧ୍ୟରେ ଜୀବନକୁ ପାଣି ଛଡାଇ ଆନ୍ଦୋଳନରେ ବସିରୁହନ୍ତି । ଆଉ ଏସବୁ ଦେଖି ଚୁପ ସରକାର । ଏମାନଙ୍କ ଦାବି ପୂରଣ ଦୂରର କଥା , ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ମୌଳିକ ସୁବିଧା ପ୍ରତି ବି ଜାଗ୍ରତ ନୁହନ୍ତି ।
ରାଜ୍ୟର ତମାମ ଅସୁବିଧା-ସମସ୍ୟା ଓ ନୂଆ ପ୍ରାବଧାନ-ବ୍ୟବସ୍ଥାକୁ ନେଇ ସେପଟେ ବିଧାସଭା ଅଧିବେଶନ ଚାଲିଛି । ଆଉ ଏପଟେ ଏଭଳି ନ୍ୟାର୍ଯ୍ୟ ଦାବି ପାଇଁ ଶହ ଶହ ସଂଖ୍ୟକ ଯୁବପୀଢି ଭୋକ-ଉପାସରେ ଖରା-ବର୍ଷା ସହି ରାଜଧାନୀ ରାସ୍ତାରେ ବସିରହିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ଦେଖାଦର୍ଶନ ନାହିଁ କି ପାନୀୟ ଜଳ- ଶୌଚାଳୟ ପାଇଁ ବି ବ୍ୟବସ୍ଥା ନାହିଁ । ଏଭଳି ସ୍ଥିତିରେ ନିଜକୁ ଅସୁରକ୍ଷିତ ମଣି ମହିଳାମାନେ ସରକାରଙ୍କ ଉପରେ ବର୍ଷିବା ସହ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବିକ୍ଷୋଭକାରୀ କହିଛନ୍ତି କି, ଧାରଣା ସ୍ଥଳରେ ଗୋଟିଏ ମାତ୍ର ଶୌଚାଳୟ ରହିଥିବା ବେଳେ ରାତି 10 ଟା ସମୟ ହେଲେ ବନ୍ଦ ହୋଇଯାଉଛି ଓ ସକାଳ 5 ଟା ରେ ଖୋଲାଯାଉଛି । ଯାହା ଫଳରେ ରାତି ସମୟରେ ମହିଳା ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗଣାତାନ୍ତ୍ରିକ ଉପାୟରେ ନିଜ ଦାବିକୁ ନେଇ ପ୍ରତିଟି ନାଗରିକ ସ୍ବର ଉତ୍ତେଳନ ପାଇଁ ଅଧିକାର ପାଇଛି । ହେଲେ ସେମାନଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଏଭଳି ଅଣଦେଖା-ଅବିଚାର , ବାସ୍ତବରେ ପରିତାପର ବିଷୟ ...
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ