ଭୁବନେଶ୍ବର: ଫନି ବାତ୍ୟାରେ ପୁରୀ ଡେଲାଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏନେଇ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହୟତା ଘୋଷଣା କରାଯାଇଥିଲେ ମଧ୍ୟ ଆଜି ବି ସେହି ସହାୟତାରୁ ବଞ୍ଚିତ ଅଛନ୍ତି କିଛି ଡେଲାଙ୍ଗବାସୀ । ଏ ସମ୍ପର୍କରେ କ୍ଷତିଗ୍ରସ୍ତମାନେ ଅନେକ ଥର ଡେଲାଙ୍ଗ ତହସିଲ ଏବଂ ପିପିଲି ତହସିଲରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ପୁରୁଷଙ୍କ ସମେତ ଶହ ଶହ ମହିଳା କ୍ଷତିଗ୍ରସ୍ତ ।
2019 ମସିହା ଫନି ବିପର୍ଯ୍ୟୟରେ ପିପିଲି ଡେଲାଙ୍ଗ ବ୍ଲକ୍ରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା । ଯାହାର ଭରଣା ଏ ଯାଏଁ ବି ହୋଇପାରୁନାହିଁ । ଆଜି ବି ଅନେକ ଲୋକ ଭଙ୍ଗା ଘରେ ପାଲଟାଣି ପଡି ରହିଛନ୍ତି । ଏହି ଗରିବ ଲୋକମାନଙ୍କର କ୍ଷୟକ୍ଷତିକୁ ଚାରି ଚାରି ଥର ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଥିଲା । ଏପରିକି ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମେ 10 ହଜାର ଟଙ୍କା ଏବଂ ପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଚିହ୍ନଟ ହିତାଧିକାରୀଙ୍କ ଆକାଉଣ୍ଟକୁ 95 ହଜାର ଟଙ୍କା ଦିଆଯାଇଥିଲା । ହେଲେ ବ୍ୟାଙ୍କ ମ୍ୟାନେଜର ସମେତ ପିପିଲ ତହସିଲଦାର, ଡେଲାଙ୍ଗ ତହସିଲଦାର ଏବଂ କିଛି ରାଜନେତା ମିଳିମିଶି ସମ୍ପୃକ୍ତ ହିତାଧିକାରୀଙ୍କ ସଚଳ ବ୍ୟାଙ୍କ ଜମା ଖାତାକୁ ଅଚଳ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ବିପର୍ଯ୍ୟୟର ଦୀର୍ଘ ଦିନ ପରେ ବି କ୍ଷତିଗ୍ରସ୍ତମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ।
ତେଣୁ ମଙ୍ଗଳବାର ଡେଲାଙ୍ଗ ଅଞ୍ଚଳର ଶହ ଶହ ମହିଳା ରାଜଧାନୀରେ ପହଞ୍ଚି ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ଦାବି ପୂରଣ ନ ହୁଏ, ଆନ୍ଦୋଳନ ଜାରି ରହିବ ବୋଲି ଚେତବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ