ଭୁବନେଶ୍ବର: ଇଟିଭି ଭାରତର ମହାପ୍ରଭାବ । ଓଡ଼ିଶା ଫେରିଲେ ଶ୍ରୀଲଙ୍କାରେ ଫସିରହିଥିବା ଶ୍ରମିକ । ଦୀର୍ଘ 6 ମାସ ସଂର୍ଘଷମୟ ଜୀବନ କାଟିବା ପରେ ସମସ୍ତେ ଟ୍ରେନ ଯୋଗେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାରେ ଶ୍ରମିକ ଫସିରହିଥିବା ଘଟଣା ପ୍ରଥମେ ଇଟିଭି ଭାରତରେ ଗତ 8ତାରିଖରେ ଖବର ପ୍ରସାରଣ ହୋଇଥିଲା । ଆଉ ଖବର ତୁରନ୍ତ ପ୍ରସାର ହେବା ପରେ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବୈଦେଶିକ ମନ୍ତ୍ରାଳୟ ସହ ଯୋଗଯୋଗ କରି ପ୍ରଥମ ପର୍ଯ୍ୟାୟରେ 4 ଜଣ ପରେ 7 ଜଣଙ୍କୁ ଉଦ୍ଧାର କରାଯାଇଛି । ସେପଟେ, ଏଭଳି ପ୍ରୟାସକୁ ସାଂସଦ ସସ୍ମିତ ପାତ୍ର ଇଟିଭି ଭାରତକୁ ସାଧୁବାଦ ଜଣାଇଛନ୍ତି ।
ଦୀପକ ପାଢୀ ଓ ପ୍ରକାଶ ସାମନ୍ତରାୟ ନାମକ ଦୁଇ ଠିକାଦାର, ଶ୍ରୀଲଙ୍କାର ଆଇଏମଟିପି କମ୍ପାନୀରେ କାମ କରିବାକୁ କହି 11 ଜଣ ଓଡ଼ିଆ ଶ୍ରମିକଙ୍କୁ ବିଦେଶ ପଠାଇଥିଲେ। ଆଉ ଏଠି କାମ କଲେ ଦୈନିକ 8 ଘଣ୍ଟାକୁ 30 ହଜାର ଟଙ୍କା ଦରମା ମିଳିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ। ହେଲେ ଶ୍ରୀଲଙ୍କା ଠିକାଦାର 15ରୁ 16 ଘଣ୍ଟା ଖଟାଇବା ସହ ଉଚିତ ପାରିଶ୍ରମିକ ଦେଉନଥିଲେ । ଏପରିକି ଖାଦ୍ୟ ରୂପରେ କେବଳ ଭାତ ଓ ଡାଲି ଦେଉଥିବାବେଳେ, ଦେହ ଖରାପ ହେଲେ କୌଣସି ଚିକିତ୍ସା କରାଉନଥିଲେ। ସମୟ ସମୟରେ ମାଡ ମାରୁଥିବାବେଳେ ଓଡ଼ିଶା ଫେରିଆସିବାକୁ ଏକ ଭିଡିଓ ଜରିଆରେ ଅନୁରୋଧ କରିଥିଲେ ଶ୍ରମିକ ।
ସେମାନେ ହେଲେ ଖୋର୍ଦ୍ଧାର ଆନନ୍ଦ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ବଳରାମ ରାଉତ, ସୁବାଷ ପ୍ରଧାନ, ଦେବରାଜ ନାୟକ, ପଙ୍କଜ ପ୍ରଧାନ, ଆଶିଷ ମହାରଣା, ଶିବ ପ୍ରଧାନ, କବି ଦାସ, କିଶୋର ପିଲେଇ । ସମସ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ସତେ ଯେମିତି ଦମ୍ଭ ନେଇଛନ୍ତି । ଏବଂ ଇଟିଭି ଭାରତର ପ୍ରୟାସକୁ ଭୁରି ଭୁରୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ