ଭୁବନେଶ୍ବର: OSSC ସଦସ୍ୟ କୁବେର ପିଏସ ବିରଞ୍ଚିଙ୍କ ପାଇଁ ବଢୁଛି ଆଡୁଆ । ବିରଞ୍ଚିଙ୍କ କଳାକାରବାର ରାଜ ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋଟିପତି ବିରଞ୍ଚିଙ୍କ ଅର୍ଥନୈତିକ କାରବାରର ଯାଞ୍ଚ କରିବ ଇଡି ।
କେଉଁମାନେ ଟଙ୍କା ଦେଇଛନ୍ତି କାହା କାହା ଆକାଉଣ୍ଟକୁ ଯାଇଛି ବିରଞ୍ଚିଙ୍କ ଟଙ୍କା ସେ ସବୁ ମନି ଟ୍ରେଲର ଗୁମର ଖୋଲିବା ନେଇ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଇଡିର ଜଏଣ୍ଟ ଡାଇରେକ୍ଟର ମାଧବ ଚନ୍ଦ୍ର ମିଶ୍ର ।
ପ୍ରକାଶ ଥାଉକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ ମାମଲାରେ କିଛିଦିନ ତଳେ ବିରଞ୍ଚିଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ତାଙ୍କ ପାଖରୁ ସ୍ଥାବର, ଅସ୍ଥାବର ସମ୍ପତ୍ତି ସହ ପ୍ରଚୁର ମାତ୍ରାରେ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ବିରଞ୍ଚିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।
ନିଯୁକ୍ତିରେ ଟଙ୍କା କାରବାର ଓ ଲାଞ୍ଚ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ OSSC ଅଧ୍ୟକ୍ଷ ନିର୍ମଳ ମିଶ୍ର । ଏହାପରେ ରାଜ୍ୟ ସରକାର ଗତ ୨ ତାରିଖରେ ତାଙ୍କୁ ବାଧ୍ୟତାମୂଳକ ଅବସର ଘୋଷଣା କରିଥିଲେ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ