ଭୁବନେଶ୍ବର: ସମ୍ମାନସ୍ପଦ ଧର୍ମପଦ ପୁରସ୍କାର ପାଇବେ ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ । ଏନେଇ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । 2021 ମସିହା ପାଇଁ ଚିତ୍ରକଳା ଏବଂ ସ୍ଥାପତ୍ୟ କଳା କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ଶିଳ୍ପୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଜୀବନବ୍ୟାପି ସାଧନା ପାଇଁ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଏଥିସହିତ ୫ ଜଣ ଶିଳ୍ପୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି । ଏହି ଚିତ୍ରଶିଳ୍ପୀମାନେ ହେଉଛନ୍ତି ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ଦେବେନ୍ଦ୍ର ମିଶ୍ର । ଧର୍ମପଦ ପୁରସ୍କାର ବାବଦକୁ ୫ ଲକ୍ଷ ଓ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଦିଆଯିବ । ତେବେ ଚିତ୍ରଶିଳ୍ପୀ ଏବଂ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା 1987 ମସିହାରୁ ପ୍ରଦାନ କରାଯାଇ ଆସୁଛି ।