ଭୁବନେଶ୍ବର: ରାଜ୍ୟ ରାଜଧାନୀ ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍, 'ମୋ ବସ' ସେବା ଏକ ଅତ୍ୟାଧୁନିକ ଆରାମ ଦାୟକ ଜନସାଧାରଣ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି । ସହରୀ ଯାତାୟତ ସେବାରେ ସଂସ୍କାର ଆଣିବାରେ ଆଦର୍ଶ ଭାବେ ଜାତୀୟ ସ୍ତରରେ ଏକ ମଡେଲ । ବର୍ତ୍ତମାନ ୩୨ଟି ରୁଟ୍ରେ ଚଳାଚଳ କରୁଛି ମୋ ବସ । ୨୨୫ ଟି ବସ୍ରେ ଭୁବନେଶ୍ୱର, କଟକ , ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହି ସବୁ ବସ୍ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍, ଇ- ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ, ପୋଖରିପୁଟ ଓ ନରାଜରେ ଡିପୋ କମ୍ ଅଫିସ ନିର୍ମାଣ କାର୍ଯ୍ୟ ଚଲିିଛି ।
କ୍ୟାପିଟାଲ ରିଜିଅନର ବିଭିନ୍ନ ଅଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ମୋ ବସ୍ ସେବା ୨୦୧୯ ରୁ ୨୦୨୧ ମଧ୍ୟରେ ଜାତୀୟ ସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ ଟି ପୁରସ୍କାର ପାଇ ପାରିଛି । ଆଗାମୀ ଦିରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇ ପାରିବ ସେ ନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ