ଭୁବନେଶ୍ବର: ମନିଲଣ୍ଡରିଂ ମାମଲାରେ ନବଦିଗନ୍ତ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ସିଜ୍ । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଆଧାରରେ 2କୋଟି 16ଲକ୍ଷର ସମ୍ପତ୍ତି ସିଜ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀର ନିର୍ଦ୍ଦେଶକ ଅଞ୍ଜନ କୁମାର ବାଲିଆରି ସିଂହ, ପ୍ରଦୀପ କୁମାର ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ାଙ୍କ ସହ ମୟୂରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, କେନ୍ଦୁଝର ସଦରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଏବଂ ନୂଆପଡା ଖରିଆରର ପୂର୍ବତନ ବିଧାୟକ ହିତେଶ ବଗର୍ତୀଙ୍କ ଦ୍ବାରା ଠକେଇ ହୋଇଥିଲା ଏହି ସବୁ ସମ୍ପତ୍ତି ।
ସିଜ ସମ୍ପତ୍ତିରେ IDBI ଏବଂ ଇଣ୍ଡିଆନ୍ ବ୍ୟାଙ୍କର 48 ଟି ଆକାଉଣ୍ଟରେ 16 ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ପୁରୀ ନରେନ୍ଦ୍ରପୁର ମୌଜା ଏବଂ ଖୋର୍ଦ୍ଧା କାଇପଦର ମୌଜାରେ 2 କୋଟି ଟଙ୍କାର ଦୁଇଟି ଜମି ରହିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଦୁଇଟି ଚାର୍ଜସିଟ୍ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଆଧାରରେ ED ତଦନ୍ତ କରି ଏସବୁ ସମ୍ପତ୍ତିର ସୁରାକ ପାଇଥିଲା ।
ନବ ଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍ ରେଡିମେବଲ ପ୍ରିଫରେନ୍ସ ସେୟାର ଏବଂ ଅଣ କନଭର୍ଟିବଲ୍ ଡେବେଣ୍ଟର୍ସ ପ୍ରଦାନ କରି ଜନସାଧାରଣଙ୍କ ଠାରୁ ଜମା ସଂଗ୍ରହ କରୁଥିଲା । ବିନା ଆରବିଆଇ, SEBI (Securities and Exchange Board of India) ଠାରୁ ଅନୁମତି ନ ନେଇ ଟଙ୍କା ରସିଦ ଏବଂ ପ୍ରମାଣପତ୍ର ପ୍ରଦାନ କରି ଅଧିକ ସୁଧ ଦେବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲା । ପରେ ଏହି ଜମା ଅର୍ଥକୁ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍, ନବ ଦିଗନ୍ତ ପ୍ରୋଜେକ୍ଟ ଲିମିଟେଡ୍ ଏବଂ ନବ ଦିଗନ୍ତ ପ୍ରପର୍ଟିଜ୍ ଲିମିଟେଡକୁ ଟ୍ରାନ୍ସଫର କରି ଏପରି ଠକାମିର ଷଡଯନ୍ତ୍ର ରଚାଯାଇଥିବା ED ତଦନ୍ତରୁ ଜାଣିବାକୁ ପାଇଥିବା ଏକ ପ୍ରେସ ବିକ୍ଷପ୍ତିରେ ଦର୍ଶାଇଛି ଇଡି ।