ଭୁବନେଶ୍ବର: ବିଶ୍ବସ୍ତରୀୟ ଇକୋ ରିଟ୍ରିଟ୍ ଆୟୋଜନରେ ରାଜ୍ୟକୁ ସଫଳତା ମିଳିଛି । ଏହାର ସଫଳ ଆୟୋଜନ ପରେ ରାଜ୍ୟରେ ବର୍ଷ ତମାମ ଇକୋ-କଟେଜ ସୁବିଧା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା ଏବଂ ନିତୀଗତ ନିଷ୍ପତ୍ତି ନିଆଯାଇଛି ।
ଲୋକସେବା ଭବନରୁ ଡ଼ିଜିଟାଲ୍ ମୋରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ବର୍ଷ ତମାମ ଇକୋ-କଟେଜ ନିର୍ମାଣ ଓ ପରିଚାଳନା ସମ୍ବନ୍ଧୀତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବର୍ଷ ତମାମ ଇକୋ କଟେଜ ପାଇଁ ରହିଛି ଅନେକ ସମ୍ଭାର ଓ ସମ୍ଭାବନା । ଏହାକୁ ବିଚାର କରି ପି.ପି.ପି ମୋଡରେ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଇକୋ-କଟେଜ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭି.ଜି.ଏଫ୍ ପାଣ୍ଠି ସହ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ନିର୍ଦ୍ଦିଷ୍ଟ ମାନକ ଭିତ୍ତିକ ଏକ ସ୍ଵଚ୍ଛ ଏବଂ ପ୍ରକାଶିତ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଘରୋଇ ସହଭାଗୀ ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହିରାକୁଦ, ବାଲିପୁଟ, ପାରାଦୀପ, ଦାରିଙ୍ଗିବାଡି, ପତି ସେନାପୁର ଏବଂ କୋରାପୁଟରେ ବର୍ଷ ତମାମ ଇକୋ-କଟେଜ ନିର୍ମାଣର ସମ୍ଭାବନା ସ୍ଥାନ ହୋଇପାରିବ ବୋଲି ଆଲୋଚନା ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଏବଂ କଟକ ଜିଲ୍ଲାର ବାଲିପୁଟ, ସାତକୋଶିଆରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଦୁଇଟି ସ୍ଥାନରେ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ ଏକର ଲେଖାଏଁ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୬.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପର୍ଯ୍ୟଟନ ବିଭାଗର ପାନ୍ଥନିବାସ ଏବଂ ରାସ୍ତାପାର୍ଶ ସୁବିଧାକେନ୍ଦ୍ର ଗୁଡିକୁ ଘରୋଇ ସହଭାଗିତାରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲେ ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଓ ଭ୍ରମଣକାରୀମାନେ ବିଶେଷ ସୁବିଧା ପାଇବେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, IPICOL ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ