ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବାର 38ଦିନ ପୂର୍ବରୁ ଅର୍ଥାତ୍ 1 ଏପ୍ରିଲ୍ 2021 ରୁ ଚଳିତ ବର୍ଷ ଫେବୃଆରୀ 21 ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ରେକର୍ଡକୁ ଅତିକ୍ରମ କରିସାରିଛି । ନୂତନ ଭାବେ ଜୋନ୍ ଆରମ୍ଭ ହେବା ଦିନଠାରୁ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବବର୍ଷ ତୁଳନାରେ ପଣ୍ୟ ବୋଝେଇରେ ବର୍ଦ୍ଧିତ ବୋଝେଇ ପ୍ରଦର୍ଶନ କରି ଆସୁଅଛି ।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 2021 ମସିହା ଏପ୍ରିଲ ପହିଲା ଠାରୁ 21 ଫେବୃଆରୀ, 2022 ସୁଦ୍ଧା ପୂର୍ବତଟ ରେଳପଥ 205.37 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ 204.90 ନିୟୁତ ଟନ ମାଲ ପରିବହନକୁ ଅତିକ୍ରମ କରି 0.23% ଅଭିବୃଦ୍ଧି ଆଣିପାରିଛି । ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷର ସମାନ ସମୟ ଅପେକ୍ଷା ପୂର୍ବତଟ ରେଳପଥ 15% ଅଧିକ ମାଲ ପରିବହନ କରିଛି ।
ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 116.10 ନିୟୁତ ଟନ କୋଇଲା, 7.29 ନିୟୁତ ଟନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଞ୍ଚାମାଲ, 18.87 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.92 ନିୟୁତ ଟନ ଲୁହ ପଥର, 1.17 ନିୟୁତ ଟନ ସିମେଣ୍ଟ, 2.61 ନିୟୁତ ଟନ ଖାଦ୍ୟ ଶସ୍ୟ, 5.1 ନିୟୁତ ଟନ ଫର୍ଟିଲାଇଜର, 2.38 ନିୟୁତ ଟନ ଖଣିଜ ତୈଳ ଏବଂ 23.94 ନିୟୁତ ଟନ କଣ୍ଟେନରରେ ମାଲ ପରିବହନ ସାମଗ୍ରୀ ସହିତ ଅନ୍ୟାନ୍ୟ କାର୍ଗୋ ପରିବହନ ।
ଉପରୋକ୍ତ ପରିବହନ ଗୁଡିକରୁ, ପୂର୍ବତଟ ରେଳପଥ 20,368.3 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର ଅନୁରୂପ ସମୟ ତୁଳନାରେ 19.7% ବୃଦ୍ଧି ପଞ୍ଜୀକରଣ କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇବାକୁ ପୂର୍ବତଟ ରେଳପଥ ଦୈନିକ 9,472 ୱାଗନ୍ ବ୍ୟବହାର ଯାହାକି ଯାହା ପ୍ରତିଦିନ ପ୍ରାୟ 174.6 ରେକ୍ (ମାଲବାହୀ ଟ୍ରେନ୍) ସହିତ ସମାନ । ପୂର୍ବତଟ ରେଳବାଇର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି ।
24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏହି ପ୍ରଦର୍ଶନକୁ ହାସଲ କରିପାରିଛି । କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ । ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ