ଭୁବନେଶ୍ବର:କୋରୋନା ସଚେତନ କରୁଛି କୁକୁର । ଆଜି କାଲି ଦୁନିଆରେ ଲୋକଙ୍କ ମାନବ ପଣିଆ ହଜିବାର ଅନେକ ଦୃଶ୍ୟ ଆମେ ଦେଖିଛନ୍ତି । କିନ୍ତୁ ଭୁବନେଶ୍ବରରେ କୁକୁରମାନଙ୍କ ପ୍ରତି ପ୍ରେମ, ସମ୍ବେଦନଶୀଳ ଭାଵ ଦେଖାଇ ପ୍ରଶଂସା ସାଉଁଟୁଛନ୍ତି ଭୁବନେଶ୍ବର ୟୁନିଟ-୫ ଅଞ୍ଚଳରେ ରହୁଥିବା ପ୍ରକାଶ ମହାରଣା। ବେଶ ଖୁସିରେ ପ୍ରକାଶଙ୍କ ଗାଡ଼ିରେ ବୁଲୁଛନ୍ତି ଏହି କୁକୁରମାନେ। ଏମାନେ ହେଉଛନ୍ତି ପ୍ରକାଶ ମହାରଣାଙ୍କ ପିଲା ପରି। ଛୋଟ ବେଳୁ ଏମାନଙ୍କୁ ଘରେ ନିଜର ପରିବାରର ସଦସ୍ୟ ଭାବେ ରଖିଛନ୍ତି । ପ୍ରକାଶ ଅତି ଗେଲ୍ହାରେ ସେମାନଙ୍କ ନାଁ ରଖିଛନ୍ତି ସୁଇଟି, ଚନ୍ଦ୍ରମୁଖୀ ଆଉ ଓଟି। ସକାଳେ ନିୟମିତ ଦୌଡିବା ସହ ବଜାର ବୁଲିବା ତାଙ୍କ ଅଭ୍ୟାସ।
ଏପଟେ କୋରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ସହ ସୁରକ୍ଷା ପାଇଁ ଜଣଙ୍କୁ ହେଲମେଟ ପିନ୍ଧିବାର ଅଭ୍ୟାସ ମଧ୍ୟ କରାଇଛନ୍ତି । ନିଜ ପିଲାଙ୍କ ଭଳି ତାଙ୍କୁ ଭଲପାଇବା ଦେଉଛନ୍ତି ପରିବାରର ଲୋକେ । ଆଗକୁ ମଧ୍ୟ ଏମାନଙ୍କୁ ଆହୁରି ପ୍ରଶିକ୍ଷଣ ଦେବେ।
ସେପଟେ ପଶୁମାନଙ୍କ ପ୍ରତି ଏଭଳି ପ୍ରେମ ଦେଖି ବେଶ ଖୁସି ଏବଂ ପ୍ରେରଣା ପାଉଥିବାର କଥା କହିଛନ୍ତି ସେଠାକାର ବାସିନ୍ଦା । ଆଜିକାଲି ଲୋକମାନେ ମାନବିକତା ଭୁଲିଯାଉଥିବା ବେଳେ ପ୍ରକାଶଙ୍କ ପଶୁ ପ୍ରେମ ସେମାନଙ୍କୁ ବେଶ ଆନନ୍ଦିତ କରାଇଛି । ମଣିଷ ହେଉଛି ଦୁନିଆରେ ଶ୍ରେଷ୍ଠ ଜୀବ। ଯିଏକି ସମସ୍ତଙ୍କୁ ଭଲ ପାଇବା, ସ୍ନେହ ଦେବା ସହ ଅନ୍ୟମାନଙ୍କ ମନ ବୁଝିପାରେ। କିନ୍ତୁ ଏବେ ପଶୁମାନେ ବି ବେଶ ଲୋକମାନଙ୍କ ମନକୁ ବୁଝିପାରୁଥିବାର ଚିତ୍ର ଆମେ ଦେଖିବାକୁ ପାଉଛୁ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ