ହାଇଦ୍ରାବାଦ: ସୁକମା ଏନକାଉଣ୍ଟର ଘଟଣା ପରେ ପ୍ରଥମଥର ପାଇଁ ଏକ ଭିଡିଓ ଡକ୍ୟୁମେଣ୍ଟାରୀ ଜାରି କରିଛି ମାଓବାଦୀ ସଙ୍ଗଠନ । ମାର୍ଚ୍ଚ 21 ତାରିଖ ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ଏହି ସମୟରେ ଆମ୍ବୁସ ଲଗାଇ ୧୭ ଜଣ ଯବାନଙ୍କୁ ହତ୍ୟା କରିଥିଲେ ମାଓବାଦୀ । ତେବେ ମାଓବାଦୀ ସଙ୍ଗଠନର ଏହି ଡକ୍ୟୁମେଣ୍ଟାରୀ ଭିଡିଓରେ କିଭଳି ଭାବରେ ମାଓବାଦୀଙ୍କ ଦ୍ବାରା ଯବାନମାନଙ୍କୁ ଆମ୍ବୁସ କରାଯାଇଥିଲା ଏବଂ କିଭଳି ଭାବରେ ଏହି ଅପରେସନକୁ ବାସ୍ତବ ରୂପ ଦିଆଯାଇଥିଲା, ସେ ସମୟର ଦୃଶ୍ୟକୁ ଦର୍ଶାଯାଇଛି । ମାଓବାଦୀ ଯେତେବେଳେ ପୋଲିସ ବିରୋଧରେ ସଫଳ ହୁଅନ୍ତି କିମ୍ବା ନିଜର ତାଲିମ ପ୍ରକ୍ରିୟା ସମ୍ପର୍କରେ ଜଣାଇବା ପାଇଁ ପ୍ରାୟତଃ ସବୁବେଳେ ଡକ୍ୟୁମେଣ୍ଟାରୀ କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରନ୍ତି ।
ମାର୍ଚ୍ଚ 21ରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରକ୍ତର ହୋଲି ଖେଳିଥିଲେ ମାଓବାଦୀ । ଘଟଣାରେ 17 ଜଣ ଯବାନଙ୍କୁ ପ୍ରାଣବଳୀ ଦେବାକୁ ପଡିଥିଲା । ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଏସଟିଏଫ ଓ ଡିଆରଜି ଯବାନ ସାମିଲ ଥିଲେ । ବସ୍ତରର ଇତିହାସରେ ଏହା ସବୁଠୁ ବଡ ନକ୍ସଲ ଆକ୍ରମଣ ଥିଲା, ଯେଉଁଥିରେ 12 ଜଣ ଡିଆରଜି ଯବାନ ଶହୀଦ ହୋଇଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ