ଭୁବନେଶ୍ବର: ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲାବ୍ୟାପୀ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ରକୁ ଦାୟୀ କରିଛି କଂଗ୍ରେସ । ଜିଲ୍ଲା ସଭାପତି ମାନଙ୍କ ନେତୃତ୍ବରେ କଟକ, ଯାଜପୁର, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
କଟକ ନଗର କଂଗ୍ରେସ ପକ୍ଷରୁ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ବରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ ପ୍ରତିବାଦ ସଭା ପାଳନ କରିଛି। ଦେଶରେ ଅର୍ଥନୈତିକ ସ୍ଥିତି ଖରାପ ଅବସ୍ଥା ଦେଇ ଗତିକରୁଛି ଏବଂ ବେରୋଜଗାର ବଢିଛି, ଅନେକ ଯୁବକ ଚାକିର ହରାଇଲେଣି, ସବୁର ଦର ଦାମ ମଧ୍ୟ ଅହେତୁକ ବୃଦ୍ଧି ପାଉଛି। ଏସବୁ କାରଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ଜିଲ୍ଲାପାଳଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସେହିଭଳି ଯାଜପୁର ଜିଲ୍ଲାରେ ମଧ୍ୟ ଦେଶର ଅର୍ଥନୀତିରେ ଅବନତି, ବେକାରି ବୃଦ୍ଧି, ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜିଲାପାଳ ଅପିଂସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରରେ ବିଜେପି ସରକାର ଆସିବା ସମୟରେ ଦେଇଥିବା ପ୍ରତିଶୃତିକୁ ପୁରଣ କରିବାରେ ବିଫଳ ହୋଇଛି ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦେଶରେ କ୍ରମାଗତ ଭାବେ ଜିଡିପି ହାର କମିବାରେ ଲାଗିଛି,ସାଧାରଣ ଖାଉଟି ହଇରାଣ ହରକତ ହେଉଥିବା ଅଭିଯୋଗ କରି କଂଗ୍ରେସ ଜିଲା ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଦେଶର ନିମ୍ନ ଗାମୀ ଅର୍ଥନୀତି ପାଇଁ ବର୍ତ୍ତମାନର ଏନଡିଏ ସରକାରଙ୍କୁ ଦୋଷ ଦେଇ କଂଗ୍ରେସ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତ। ତେବେ ଏ ସରକାରଙ୍କ ଭୁଲନୀତି ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡି ପଡିବା ସହ ଭୋକିଲାଙ୍କ ସଂଖ୍ୟାରେ ଦେଶ ପୃଥିବୀର 102 ନମ୍ବର ରେ ରହିଛି। ସେହିପରି ଦେଶର ଜିଡିପି ମଧ୍ୟ ମାତ୍ର 5 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ନିମ୍ନ ସ୍ଥାରକୁ ଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ସମାନ ଭାବରେ ଋଣ ବୋଝ ବଢି ବଢି ଚାଲିଥିବାବେଳେ ଦେଶର ସବୁ ବର୍ଗ ଦର ବୃଦ୍ଧିରେ ତଳି ତଲାନ୍ତ ହେଲେଣି । ସେହିପରି ଦେଶରେ ବେକାରୀ ସମସ୍ୟା ମଧ୍ୟ 8 ପ୍ରତିଶତରୁ ବୃଦ୍ଧି ପାଇଥିବା କଂଗ୍ରେସ ଅଭିଯୋଗ ଆଣିଛି।
ନବରଙ୍ଗପୁର ଜିଲ୍ଲାରେ ଉତ୍କଟ ଦରଦାମ,ବେକାରୀ ସମସ୍ୟା ବୃଦ୍ଧି ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତ ସରକାର ଏବଂ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ କିମ୍ବା ଦେଶ ପାଇଁ କିଛି କରୁନ ନାହାନ୍ତି ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ଏବଂ ଭାରତ ସରକାର ଦରଦାମ ନିୟନ୍ତ୍ରଣ କରନ୍ତୁ ନହେଲେ ସରକାର ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ।ଏହି ଦାବିପତ୍ର ପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ସଦନ ନାୟକ,ନଗର ସଭାପତି ଉତ୍ତମ ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
ସେହିଭଳି କୋରାପୁଟରେ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ବାରା ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ଓ ରାଜ୍ୟରେ ବିଜେଡି ଶାସନରେ ସ୍ଥାଣୁ ହୋଇଯାଇଥିବା ବିକାଶର ଧାରାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ସମସ୍ତ ଅବ୍ୟବସ୍ଥାରୁ ରାଜ୍ୟ ଓ ଦେଶକୁ ମୁକ୍ତ କରିବା ଦିଗରେ ଉଭୟ ସରକାର ଉଚିତ ପଦକ୍ଷେପ ନ ନେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ବ୍ୟୁରୋ