ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି । ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ 2020 ଡିସେମ୍ବର 29ରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଥିଲା ।
ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ 2023ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହାର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । 2023 ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ । କେଉଁ କ୍ଲାସରେ ରହିବ ତାହା SCERT ବିଚାରବିମର୍ଷ କରୁଛନ୍ତି । ନବମ ଦଶମରେ କଣ ରହିବ, ତଳ କ୍ଲାସରେ କଣ ରହିବ, ସେ ଦିଗରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, 2020 ଡିସେମ୍ବର 29ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହେବାର ଏକ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରି କହିଥିଲେ । ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ପ୍ରତ୍ୟେକ ଘରେ ଜଣେ ଯୋଦ୍ଧା ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସ୍କୁଲ ପାଠ୍ୟକ୍ରମ ସିଲାବସରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଦେଖିବାକୁ ବାକି ରହିଛି ଆସନ୍ତା ଶିକ୍ଷା ବର୍ଷ ଠାରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସାମିଲ କରାଯାଉଛି ନା ନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ