ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ, ସମସ୍ତେ ସତର୍କ ରହିବା ଉଚିତ । କୋଭିଡ଼ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ତୃତୀୟ ଲହର ଆସିପାରେ ଏଣୁ ରାଜ୍ୟବାସୀ ସତର୍କ ରୁହନ୍ତୁ । ଏହାସହିତ ଡେଲଟା ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢିବାର ବିଭିନ୍ନ କାରଣ ହୋଇପାରେ । ସେ ଦୃଷ୍ଟିରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି । ଦୁଇ ତିନିଦିନରେ ସମୀକ୍ଷା କରାଯାଉଛି । ପୂର୍ବରୁ ଡେଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ରହିଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଥିଲେ ମଧ୍ୟ ନିୟମ ମାନିବା ଆବଶ୍ୟକ । ଆଗକୁ ତୃତୀୟ ଲହର ଆସିପାରେ। ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବ ବୋଲି କହିଛନ୍ତି DMET ରମା ରମଣ ମହାନ୍ତି ।
ସେପଟେ ୟୁରୋପୀଓ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭ୍ୟାରିଆଣ୍ଟ। କିନ୍ତୁ ଆମେ ଆତଙ୍କିତ ହେବାର ନାହିଁ କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭ୍ୟାରିଆଣ୍ଟକୁ ଆମେ ସାମ୍ନା କରିସାରିଛୁ । ଏହାବାଦ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ ରହିଛି । ତେଣୁ ଆତଙ୍କିତ ହେବାର ନାହିଁ।
୩ ମାସ ପୂର୍ବରୁ ଯଦିଓ ଇମିନ୍ୟୁଟି 75 ପ୍ରତିଶତ ଥିଲା ହେଲେ ଏବେ ବି ଭ୍ୟାକ୍ସିନେସନ୍ ଚାଲିଛି ଓ ଇମିନ୍ୟୁଟି ବଢୁଛି । ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି । ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କହିଛନ୍ତି ନିରଞ୍ଜନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ