ଭୁବନେଶ୍ବର: ଘନଉଛି ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ଘଟଣା । ଆତ୍ମାହୁତି ଉଦ୍ୟମ କରି ପ୍ରାଣ ହାରିଥିବା ମୀନାଷୀଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଡିଜିପି ଅଭୟ କୁମାର ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ତଦନ୍ତ ଆଇଜି ରେଖା ଲୋହାନୀଙ୍କ ଦ୍ବାରା ତଦନ୍ତ ହେବ । ତେବେ କେଉଁ ପରିସ୍ଥିତିରେ ମୀନକ୍ଷୀ ଆତ୍ମାହୁତି ଭଳି ପନ୍ଥା ଆପଣାଇଲେ, ସେନେଇ ନିରପେକ୍ଷ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁସାରେ, ପୋଲିସଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ମୃତ୍ୟୁବରଣ କରିଥିଲେ । ଗତ 12 ତାରିଖ ଦିନ ବିଜେଡି ନେତ୍ରୀ ମୀନାକ୍ଷୀ ନିଜ ଉପରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର 95 ପ୍ରତିଶତ ଅଶଂ ପୋଡିଯାଇଥିବାରୁ ତାଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିଥିଲେ ମିନାକ୍ଷୀ ।
ଗତମାସ 28 ତାରିଖରେ ଘର ସାମ୍ନାରେ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ସଂଘବଦ୍ଧ ଆକ୍ରମଣର ଶୀକାର ହୋଇଥିଲେ ମୀନାକ୍ଷୀ ଓ ତାଙ୍କ ପୁଅ ରାଜା ମିଶ୍ର । ତେବେ ମା' ପୁଅଙ୍କୁ ନ୍ୟାୟ ଦାବିରେ ଗତ ୧୨ ତାରିଖରେ ଏସ୍ପିଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ଶେଷରେ ନ୍ୟାୟ ନପାଇ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମୀନାକ୍ଷୀ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ