ଭୁବନେଶ୍ବର: କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁସଂଖ୍ୟା । ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁାୃସାରେ ଆଜି(ଗୁରୁବାର) ଦିନକରେ ୬୬ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭୬୨୮କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ କଟକରୁ ୧୫, ସମ୍ବଲପୁରରୁ ୧୧, ଜଗତସିଂହପୁର ଓ ବରଗଡରୁ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଯାଜପୁର ୪, ବୌଦ୍ଧ ୩, ବଲାଙ୍ଗୀର, ଦେବଗଡ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି । ଏହାବାଦ ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ ।
ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କୋରୋନାର ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ପୁଣି ୧୩୦ ଶିଶୁ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪ ହଜାର ୫୯୯ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮୨୮୮ଟି ସକ୍ରିୟ ମାମଲା ରହିଥିବା ବେଳେ ୯ ଲକ୍ଷ ୮୮ ହଜାର ୯୦ ଜଣ ସୁସ୍ଥ ହୋଇଛନ୍ତି । ମହାମାରୀର ମୁକାବିଲା କରିବାକୁ ହେଲେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ