ଭୁବନେଶ୍ବର: ରାଜ୍ୟରେ ବ୍ରେକ ଲାଗିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଆଜି(ସୋମବାର) ରାଜ୍ୟରେ ଆଉ ୬୬ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 6953କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ କଟକରୁ ୮, ଅନୁଗୋଳରୁ ୭, ବାଲେଶ୍ବର ଓ ଢେଙ୍କାନାଳରୁ ୫ ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଜଗତସିଂହପୁର ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଆଜି ରାଜ୍ୟରେ ହଜାର ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୮୬୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୮ ହଜାର ୨୪୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୧୮୭ ଜଣ ଚିକିତ୍ସାଧୀନ ଅଛନ୍ତି ।
ସଂକ୍ରମଣ କମିବା ରାଜ୍ୟବାସୀଙ୍କ ପାଇଁ ଶୁଭ ଖବର । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ତୃତୀୟ ଲହର ଆଶା ଆଶଙ୍କା ଭିତରେ ରହିଛନ୍ତି ରାଜ୍ୟବାସୀ । ମହାମାରୀର ମୁକାବିଲା କରିବାର ଅଛି ତେବେ ସତର୍କତା ହିଁ ଚାବି ବୋଲି ଭାବି ନେବାକୁ ପଡିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ