ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ହେବାକୁ ଥିବା ଦଣ୍ଡବିଧାନ ଆସନ୍ତା 26 ତାରିଖକୁ ଘୁଞ୍ଚିଛି । ଗତ 6 ତାରିଖରେ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ପେଶାଲ କୋର୍ଟ । କିନ୍ତୁ ଆଜି ଶୁଣାଣି ହେବାକୁ ଥିବା ଦଣ୍ଡବିଧାନ 26 ତାରିଖକୁ ଘୁଞ୍ଚିଛି ।
1999 ରେ ଝାଡଖଣ୍ଡ ବ୍ରାହ୍ମଡିହା କୋଇଲା ଖଣି ଆବଣ୍ଟନରେ ଅନିୟମିତତା ନେଇ ହୋଇଥିଲା ମାମଲା । କୋଇଲା ମନ୍ତ୍ରୀ ଭାବେ ଅଭିଯୁକ୍ତ ଥିଲେ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ବ୍ୟତୀତ ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦିପ ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସେପଟେ ଉକ୍ତ ମାମଲାର ଦଣ୍ଡାଦେଶ ଦେବେ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଭରତ ପରାସର । ଗତ 6 ତାରିଖରେ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ମାମଲାରେ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେଣୁ ଆଗକୁ କୋର୍ଟ ଦୋଷୀଙ୍କ ଉପରେ କେଉଁ ପ୍ରକାର ଦଣ୍ଡବିଧାନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ତେବେ ଶୁଣାଣି ଦିନ ସମସ୍ତ ଦୋଷୀ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ