ଭୁବନେଶ୍ବର: ସ୍ମାର୍ଟସିଟିରେ ଚାଞ୍ଚଲ୍ୟ । ଅନ୍ଧବିଶ୍ୱାସରୁ ବର୍ତ୍ତିଲାନି ରାଜଧାନୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅନ୍ତର୍ଗତ କାଳିଖମା ନିକଟରେ । ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି ଏକ ଶିଶୁକନ୍ୟାର ମୃତଦେହ । ତେବେ ଶିଶୁଟିକୁ ବଳି ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ ।
ମଙ୍ଗଳବାର ଶିଶୁକନ୍ଯାର ମୃତଦେହକୁ ଉଦ୍ଧାର କରିଛି କମିସନରେଟ ପୋଲିସ। ବୟସ ପାଖାପାଖି ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେହି ତାକୁ ମାରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଶିଶୁଟିର ପରିଚୟ ମିଳିପାରିନାହିଁ । ପରିତ୍ଯକ୍ତ ସ୍ଥାନରୁ ଶିଶୁକନ୍ଯାର ମୃତଦେହ ମିଳିବା ସହ ତା ମୁହଁରୁ ରକ୍ତସ୍ରାବ ହେବା ଏବଂ ଶରୀରରେ କଳା ଦାଗ ପଡିଥିବା ହେତୁ ବଳି ଦିଆଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।
ଏନେଇ କମିସନରେଟ ପୋଲିସର ଏକ ଟିମ ମୃତଦେହ ଉଦ୍ଧାର ସହ ମଞ୍ଚେଶ୍ବର ଥାନାରେ ଅପମୃତ୍ଯ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ତେବେ ଘଟଣା ବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ