ଭୁବନେଶ୍ବର: ବିପଦ ସଙ୍କୁଳ ଅବସ୍ଥାରେ ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର । ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣରେ ଅବେହଳା କରାଯାଇଥିବା ଦର୍ଶାଇ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଲେ ଦେବୋତ୍ତର କମିଶନର । ଯେଉଁଥିରେ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ଥିବା କଥା କହାଯିବା ସହ ଶୀଘ୍ର ମରାମତି କରାଯିବାକୁ ଦେବୋତ୍ତର କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରଭୁ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଗର୍ଭ ଗୃହରେ ପାଣି ଗଳୁଛି । କେବଳ ମୁଖ୍ୟ ମନ୍ଦିର ନୁହେଁ, ଲିଙ୍ଗରାଜ ମନ୍ଦିର ବେଢା ଭିତରେ ଥିବା ଏକାଧିକ ମନ୍ଦିରର ମଧ୍ୟ ଅନୁରୂପ ଅବସ୍ଥା । ସେପ୍ଟେମ୍ବର ୨୫ ତାରିଖରେ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର ଚିତରଞ୍ଜନ ମହାପାତ୍ର । ଚିଠିରେ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ଏହି ଫାଟର ତୁରନ୍ତ ମରାମତି ଆବଶ୍ୟକତା ରହିଛି । ଏହା ସହିତ ମନ୍ଦିରର ସୁରକ୍ଷାକୁ ଗୁରୁତ୍ୱ ଦେବା ଦରକାର । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ଥିବା ଜବର ଦଖଲ ମିଳିତ ଉଦ୍ୟମରେ ଉଛେଦ ହେବା ଦରକାର । ଏନେଇ ବିଏମସି, ବିଡିଏ ଏବଂ ଏଏସଆଇ ମିଳିତ ଚେଷ୍ଟା କରିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ