ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଛି ଡ୍ୟାନ୍ସ ବାର ଚଢାଉ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ରାଜଧାନୀରେ ଚାଲିଥିବା ଅନେକ ଗୁମର ଖୋଲିବାକୁ ଲାଗିଥିବା ବେଳେ ଏବେ ଏ ପ୍ରସଙ୍ଗରେ କଡା ପଦକ୍ଷେପ ନେବ କମିଶନରେଟ ପୋଲିସ । ବିଭିନ୍ନ ବାର୍ରେ ଅଶ୍ଲୀଳତାକୁ ନେଇ ଏବେ ଅବକାରୀ କମିଶନରଙ୍କୁ ଅବଗତ କରାଇବ କମିଶନରେଟ ପୋଲିସ ।
ରାତି ଅଧରେ ବିଭିନ୍ନ ବାରରେ ଅଶ୍ଲୀଳତା ନାମରେ ଚାଲିଥିବା ବାର ଗାର୍ଲଙ୍କ ଡ୍ୟାନ୍ସ ଉପରେ କମିଶନରେଟ ପୋଲିସର ଚଢାଉ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ । ଘଟଣାରେ ଉଦ୍ଧାର ହୋଇଥିବା 96 ଯୁବତୀଙ୍କ ପରିଚୟ ପତ୍ର ଦେଖିବା ପରେ ସେମାନଙ୍କୁ ଛାଡି ଦେଇଛି ପୋଲିସ । ହେଲେ ଥମିବାର ନାମ ନେଉନି ଡ୍ୟାନ୍ସ ବାର ବିବାଦ । ସେପଟେ ଏ ସମ୍ବନ୍ଧୀୟ ଟିକିନିଖି ଖବର ଅବକାରୀ କମିଶନରଙ୍କୁ ଦେବ କମିଶନରେଟ ପୋଲିସ ।
ତେବେ କମିଶନରେଟ ପୋଲିସଙ୍କ ସୂଚନା ମୁତାବକ ରାଜ୍ୟରେ ଡ୍ୟାନ୍ସ ବାରର ସ୍ବୀକୃତି ନାହିଁ । ଅବକାରୀ ଆଇନ ମୁତାବକ ଯୁବତୀଙ୍କୁ ବାରରେ ନିଯୁକ୍ତି ଦିଆଯାଇପାରିବ ନାହିଁ । ତଥାପି କେତେଜଣ ବିନା ସ୍ବୀକୃତିରେ ଯୁବତୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ନିର୍ଦ୍ଧିଷ୍ଟ ସମୟ ପାଇଁ ଏହାକୁ ସ୍ବୀକୃତି ରହିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାତ୍ରାଧିକ ସାଉଣ୍ଡ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଫଳରେ ବର୍ତ୍ତମାନ ରାତିରେ ଅଧିକ ସାଉଣ୍ଡର ବ୍ୟବହାର ସ୍ବୀକୃତିକୁ ବାତିଲ କରାଯାଇଛି ।
ସେହିପରି ରାଜଧାନୀରେ ଏପରି ବେଆଇନ ଡ୍ୟାନ୍ସ ବାର ଚାଲୁଥିବାବେଳେ ସେଗୁଡିକ ଉପରେ ମଧ୍ୟ ଚଢାଉ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ତେଣେ ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁଯାୟୀ ଅବକାରୀ ବିଭାଗର ଆଇନର ଧାରା 25 ଅନୁଯାୟୀ କୌଣସି ଯୁବତୀ ବାରରେ କାମ କରିପାରିବେ ନାହିଁ କି କୌଣସି ବାରରେ ଡ୍ୟାନ୍ସ କରିପାରିବେ ନାହିଁ ।
ଓଡିଶା ଅର୍ବାନ ଧାରା ଅନୁଯାୟୀ କମିଶନରେଟ ପୋଲିସର କ୍ଷମତା ରହିଛି କି ସେ ଯେକୌଣସି ବାରରେ ଚଢାଉ କରିପାରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଅପରପକ୍ଷରେ ବାର ମାଲିକ ସଂଘର ସଭାପତିଙ୍କ କହିବା ଅନୁଯାୟୀ ବାର ବେଆଇନ କିନ୍ତୁ ଆସନ୍ତା 4 ସପ୍ତାହ ମଧ୍ୟରେ ଏହାକୁ ଲାଇସେନ୍ସ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ