ଭୁବନେଶ୍ବର: ବାତ୍ୟା ୟସ୍ ଦ୍ବାରା ଶିମିଳିପାଳ ଏବଂ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭାଗ ପକ୍ଷରୁ କରାଯାଇଥିବା ଆକଳନରେ ପ୍ରାୟ 60 ଲକ୍ଷର କ୍ଷତି ହୋଇଥିବା ଜଣାପଡ଼ିଛି ।
ଭିତରକନିକା ଜାତୀୟ ଉଦ୍ୟାନରେ 48.37 ଲକ୍ଷ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଅଞ୍ଚଳରେ 11.50 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଜଣାଯାଇଛି । ବାତ୍ୟା ୟସ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଦେଇ ଗତି କରିଥିଲା । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଶିମିଳିପାଳର ପାର୍ବତ୍ୟ ଅଞ୍ଚଳରେ ଥିବା ସମସ୍ତ ବନାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପବନର ଗତି ଘଣ୍ଟାପ୍ରିତ ପ୍ରାୟ 100 କିମି ଥିଲା । ପ୍ରାଥମିକ ଆକଳନ ଅନୁସାରେ କୌଣସି ମଣିଷ କିମ୍ବା ବନ୍ୟପ୍ରାଣୀଙ୍କର ଜୀବନହାନୀ ହୋଇନାହିଁ । ତେବେ ଗୋଟିଏ ବୃହତ କାଠପୋଲ, 5 ଗୋଟି କ୍ଷୁଦ୍ର କାଠପୋଲ , 6 ଗୋଟି ଶିକାର ନିରୋଧ ଶିବିରର ଛାତ, 14 ଗୋଟି ରୋଷଶାଳ ଏବଂ 1 ଗୋଟି ସିମେଣ୍ଟ କଲଭଟ କ୍ଷତିଗ୍ରସ୍ତ ହୋଇଛି ।
ଜଙ୍ଗଲର ମୋରମ ରାସ୍ତା 30 କିମି ପର୍ଯ୍ୟନ୍ତ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । କୌଣସି ବୃହତ ବୃକ୍ଷ ଉପୁଡ଼ି ନାହିଁ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଥିବା ପରିବେଶ ପର୍ଯ୍ୟଟନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇନାହିଁ । ପ୍ରାରମ୍ଭିକ ଆକଳନରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଅଞ୍ଚଳରେ 11.50 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଜଣାଯାଇଛି । 24 ଘଣ୍ଟା ମଧ୍ୟରେ ମୁଖ୍ୟ ରାସ୍ତାଗୁଡିକ ଯାନବାହାନର ଗମନାଗମନ ନିମନ୍ତେ ସଫା କରାଯାଇଛି ।
ସେହିପରି ଭିତରକନିକା ହେନ୍ତାଳବଣ ମଧ୍ୟରେ ଅବସ୍ଥିତ 145 ବର୍ଗକିମି ବ୍ୟାପ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ମଧ୍ୟ ୟସର ପ୍ରଭାବ ପଡିଥିଲା । ହେନ୍ତାଳ ବଣର ବାତ୍ୟାକୁ ସମ୍ଭାଳିବାର କ୍ଷମତା ଥିବାରୁ ଏଠାରେ ନଗଣ୍ୟ କ୍ଷତି ହୋଇଛି ।
ଜଙ୍ଗଲ ପରିସର ରାସ୍ତାପାର୍ଶ୍ବ ଏବଂ ଗ୍ରାମ ଭିତରେ ଥିବା ପ୍ରାୟ 100 ଗୋଟି ଗଛ ଉପୁଡିବା ଦ୍ଵାରା 10 ଟି ବିଭାଗୀୟ ଗୃହ ଆଂଶିକ କ୍ଷତି ହୋଇଛି । ପବନର ଅତ୍ୟଧୁକ ଗତି ଏବଂ ସାମୁଦ୍ରିକ ଜୁଆର ଯୋଗୁ ହାବଳିଖଟି ପ୍ରକୃତି ଶିବିରରେ ଥିବା 6 ଗୋଟି କୁଟିର ଏବଂ ଜେଟି (ଘାଟ) ଅଂଶିକ କ୍ଷତିଗ୍ରସ୍ତ ହୋଇଛି । ରାସ୍ତାପାର୍ଶ୍ଵରେ ହୋଇଥିବା ବନିକରଣ ଏବଂ ତାରବାଡ କେତେକ ସ୍ଥାନରେ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ।
ଡାଙ୍ଗମାଳ ପରିସରରେ ଥିବା ବୃକ୍ଷ ଉପୁଡିବା ଏବଂ କାନ୍ଥ ଭୁଶୁଡିବା ଦ୍ବାରା 2 ଗୋଟି ଚିତଳ ହାରିଣଙ୍କ ମୃତ୍ୟୁବରଣ କରିଛନ୍ତି । ପ୍ରାରମ୍ଭିକ ଆକଳନରୁ ଭିତରକନିକା ଜାତୀୟ ଉଦ୍ୟାନରେ 48.37 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଜଣାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ