ଭୁବନେଶ୍ବର: କିଛି ଘଣ୍ଟା ମଧ୍ୟରେ ରାଜଧାନୀକୁ ଛାରଖାର କରିଦେଇଛି ସାମୁଦ୍ରିକ ଝଡ 'ଫନି' । ଯାଉ ଯାଉ ବଦଳାଇ ଦେଇଛି ରାଜଧାନୀର କାୟା କଳ୍ପ । ଦୀର୍ଘ ୪ଘଣ୍ଟା ଧରି ଘଣ୍ଟାକୁ 140 କିଲୋମିଟର ବେଗରେ ବହିଥିବା ପବନ ଭୁବନେଶ୍ବରକୁ ଥରହର କରିଦେଇଛି । ସହରର ରାସ୍ତାରେ ଖାଲି ଗଛ, ଗଛ ଡାଳ, ହୋଡିଂ, ବିଦ୍ୟୁତ ଖୁଣ୍ଟ, ଆଜବେଷ୍ଟସ, ଟିଣରେ ଛାଇ ହୋଇ ରହିଛି । ତେବେ କ୍ୟାପିଟାଲ ହସ୍ପିଟାଲର ଚିତ୍ର ପୂରା ବଦଳି ଯାଇଛି । ଫନି ପ୍ରଭାବରେ ରାଜଧାନୀର ଅନ୍ୟତମ ପ୍ରମୁଖ ମିଡିକାଲ କ୍ୟାପିଟାଲ ହସ୍ପିଟାଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ସମଗ୍ର ଭୁବନେଶ୍ବରର ବିଜୁଳି ଠପ୍ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲ, ଏୟାରପୋର୍ଟ, ରେଲୱେ ଷ୍ଟେସନ ସମେତ ରସୁଲଗଡ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ଜାଗମରା, କଳ୍ପନା, ପୋଖରୀପୁଟ ଆଦି ଅଞ୍ଚଳରେ ରାସ୍ତା ଜାମ ହୋଇ ରହିଛି ।
ରାଜଧାନୀର ତଳିଆ ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇପଡିଛି । ଘରେ ଘରେ ପାଣି ଭର୍ତ୍ତି ହୋଇଯିବା ଯୋଗୁଁ ବସ୍ତିବାସିନ୍ଦା ତ୍ରାହି ତ୍ରାହି ଡାକିଲେଣି । ତେବେ ଫନିର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲେ ସୁଦ୍ଧା ଏଭଳି କରାଳ ରୂପ ଦେଖାଇବ ବୋଲି କଳ୍ପନା କରାଯାଇନଥିଲା ।
ସେପଟେ ରାଜଧାନୀର ପରିବହନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତାରେ ଭାଙ୍ଗି ପଡିଥିବା ଗଛ ଓ ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଲୋକମାନଙ୍କୁ ନାକେଦମ କରି ରଖିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ