ଭୁବନେଶ୍ବର: ଆପଣଙ୍କର କ୍ରେଡିଟ କାର୍ଡ ଅଛି କି ? ଆପଣଙ୍କୁ ଆସୁଛି କି କୁପନ ଅଫର। ରୁହନ୍ତୁ ସତର୍କ ଦିଅନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ। ନଚେତ୍ ହୋଇପାରନ୍ତି ଠକାମିର ଶିକାର। ମେଲ୍ ବା କଲ୍ ଜରିଆରେ ସାଇବର ଠକ ଦେଇପାରେ ପ୍ରଲୋଭନ । ଅଫର ପାଇବା ପାଇଁ ପ୍ରଲୋଭିତ ହେଲେ ହୋଇପାରନ୍ତି ଠକାମୀର ଶିକାର।
କାରଣ ଏମିତି ଢଙ୍ଗରେ ରାଜଧାନୀର ଜଣେ ମହିଳାଙ୍କ କ୍ରେଡିଟ କାର୍ଡରୁ ୬୦ ହଜାର ଠକିନେଇଛନ୍ତି ସାଇବର ଠକ। ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗା ନଗରର ମଧୁମିତା ପଟ୍ଟନାୟକଙ୍କୁ ଗତ ମଙ୍ଗଳବାର ଜଣେ ମହିଳା କ୍ରେଡିଟ କାର୍ଡ ସେକ୍ସନରୁ ବୋଲି କହି କଲ୍ କରିଥିଲେ। ପରେ ତାଙ୍କୁ ଏକ କୁପନ ଅଫର ରହିଛି ବୋଲି କହିଥିଲେ। କେବଳ ତାଙ୍କର କ୍ରେଡିଟ କାର୍ଡର ଭଲ ଟ୍ରାନଜାକ୍ସନ ପାଇଁ ବୋଲି ଦିଆଯାଉଛି।
ତେବେ ଅଫର ପାଇବାକୁ ହେଲେ କାର୍ଡକୁ ଅଫରରେ ଆକ୍ଟିଭ କରାଇବାର ଅଛି କହି କାର୍ଡର ୧୬ ଡିଜିଟ ନମ୍ବର ଏବଂ କାର୍ଡର ସିଭିଭି ନମ୍ବର ସହ ମୋବାଇଲକୁ ଆସିଥିବା ଆକ୍ଟିଭେସନ କୋର୍ଡ ବା ଓଟିପି ମାଗିଥିଲେ। ମହିଳା ଜଣଙ୍କ ୨ ହଜାର ଟଙ୍କା କୁପନ ପାଇଁ ଏସବୁ ଇନଫେରମେସନ ଦେବା ପରେ । ହଠାତ୍ ତାଙ୍କ ମୋବାଇଲକୁ ଆସିଲା ଆପଣଙ୍କ କ୍ରେଡିଟ କାର୍ଡରୁ ୬୦ ହଜାର ଟଙ୍କା ବ୍ୟବହାର ହୋଇଛି। ଅର୍ଥାତ ମହିଳାଙ୍କ କ୍ରେଡିଟ କାର୍ଡରୁ ୬୦ ହଜାର ଟଙ୍କା ଠକିନେଲେ ସାଇବର ଠକ। ଏନେଇ ମହିଳା ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ମହିଳା କଲ କରିଥିବା ନମ୍ବର (9126198562) ପୋଲିସକୁ ଜଣାଇଥିଲେ । ତେବେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ