ଭୁବନେଶ୍ବର: ଲକଡାଉନ ଯୋଗୁଁ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଅସମ୍ଭବ । ଏପରି ସମୟରେ ଅନଲାଇନରେ ସବୁ କାରବାର ଚାଲିଛି । ସେଥିପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରି ଏହାକୁ ଟିଭି ଓ ସୋସିଆଲ ମିଡିଆରେ ପ୍ରସାରଣ କରିବାକୁ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି ।
ଏନେଇ ବୁଧବାର ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରବଚନ, ସୁଗମ ସଙ୍ଗୀତ, ଭଜନ, ବାଦ୍ୟଯନ୍ତ୍ର, ଓଡିଶୀ, ସୋଲୋ ଏକାଙ୍କିକା ଭଳି ସୃଜନଗୀତ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ଏହା ଆୟୋଜିତ ହେବ । ଉଭୟ ଏକାଡେମୀର ସମନ୍ବୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡିଂ କରାଯାଇ ଟିଭି ଚ୍ୟାନେଲ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯିବ । ସେହିପରି ବାଦ୍ୟ ସଂଗୀତ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ପ୍ରଭୃତି ପରିବେଷଣ କରାଯିବ ।
ପ୍ରତି କାର୍ଯ୍ୟକ୍ରମର ଅବଧି ୩୦ ମିନିଟ୍ ରହିବ ଏବଂ ଭାବ ଆଦାନପ୍ରଦାନ ରହିବ ନାହିଁ । ଲକଡାଉନ ପାଇଁ ବିଭାଗ ପ୍ରାୟୋଜିତ ମଞ୍ଚ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବାରୁ ଜନସାଧାରଣ ଓ କଳାକାରମାନଙ୍କ ମଧ୍ୟରେ ନୈରାଶ୍ୟ ଜାତ ହୋଇଛି । ଏଥିପାଇଁ ଏକାଡେମୀ ଡିଜିଟାଲ ମୋଡରେ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଟିଭି ତଥା ସୋସିଆଲ ମିଡିଆ ଦ୍ବାରା ବହୁ ସଂଖ୍ୟକ ଦର୍ଶକଙ୍କ ପାଖରେ ଏହା ପହଞ୍ଚିପାରିବାର ଆଶା କରାଯାଉଛି । ସାହିତ୍ୟ ଏକାଡେମୀ ପକ୍ଷରୁ ବାର୍ଷିକ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଅନୁଯାୟୀ ବିଭିନ୍ନ ଉତ୍ସବଗୁଡିକର ଅନୁରୂପ କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ଏକାଡେମୀଗୁଡିକର କାର୍ଯ୍ୟକ୍ରମକୁ ସ୍ଥାଣୁତ୍ବରୁ ରକ୍ଷା କରିବାକୁ ହେଲେ ଏହା ହିଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ବୈଠକରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଡା. ରାମକୃଷ୍ଣ ସାହୁ, ସମ୍ପାଦକ ଶ୍ରୀ ପ୍ରବୋଧ ରଥ, ଓଡିଶା ସାହିତ୍ୟ ଏକାଡେମୀ ସମ୍ପାଦିକା ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମଗୁଡିକୁ ଜୁନ ମାସ ପହିଲାରୁ ପ୍ରସାରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ