ଭୁବନେଶ୍ବର: ଭାରତୀୟ ତଥା ପଡିଆ ପରମ୍ପରାରେ କାର୍ତ୍ତିକ ମାସକୁ ପବିତ୍ର ମାସ ରୂପେ ବିବେଚନା କରାଯାଏ । ପ୍ରଥମ ଦିନ ଠାରୁ ଆରମ୍ଭ କରି ପୂର୍ଣ୍ଣିମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ହବିଷ ଓ ଅଭଢା ଖାଇ ଏହି ବ୍ରତ ପାଳନ କରନ୍ତି । ମାତ୍ର ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଯାଇ ଉପାସନା କରିବା ଏବଂ ଅଭଢା ଓ ପ୍ରସାଦ ସେବନ କରିବାବେ ବାଧା ସୃଷ୍ଟି ହୋଇଛି । ରବିବାର ସକାଳେ ଭୁବନେଶ୍ବର ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରରେ ଅବଢା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।
ଭୁବନେଶ୍ବରରେ ଅନନ୍ତ ବାସୁଦେବ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସାଧାରଣ ଲୋକଙ୍କ ପାଇଁ ଅବଢା ମଣ୍ଡପକୁ ବନ୍ଦ କରିବା ସହ ଲୋକଙ୍କ ଗହଳି କମାଇବାକୁ ବାହାରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର ଯେଉଁମାନେ ଆଗରୁ ସୁଆରମାନଙ୍କୁ ବଇନା ଦେଇଥିଲେ ସେମାନେ ହିଁ ଅବଢା ନେଇପାରିବେ। ଫଳରେ ସାଧାରଣ ଲୋକମାନେ ଏ ବିଷୟରେ ଜାଣି ନଥିବାରୁ ଅବଢା ନେବାକୁ ଆସି ଅବଢା ନ ପାଇ ମନ ଦୁଃଖରେ ଫେରି ଯାଉଛନ୍ତି । ଆଉ ଯେଉଁମାନେ ପାଉଛନ୍ତି, ସେମାନେ ଅଧିକ ପାଉଣା ଦେଇ କିଣୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ମନ୍ଦିର ବାହାରେ ପ୍ରବଳ ଜନଗହଳି ହେଉଥିଲେ ମଧ୍ୟ କିଭଳି ଭାବେ ପ୍ରସାଦ ବିତରଣ ସୂଚାର ରୂପେ ହେବ ସେନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ