ଭୁବନେଶ୍ବର: ବେଶ କିଛି ଦିନ ହେବ ରାଜ୍ୟରେ ଦବଦବା ଜାହିର କରିଥିଲେ ଜାମତାରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ୩ ଜଣିଆ ଜାମତାରା ଗ୍ୟାଙ୍ଗକୁ ଧରିଲା କ୍ରାଇମବ୍ରାଞ୍ଚ । ଓଡ଼ିଶାରୁ KYC ଅପଡେଟ ନାଁରେ ଠକିଥିବା ସାଇବର ଲୁଟେରା ଗ୍ଯାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ ଟିମ । ଏନେଇ କଟକ ସାଇବର ସେଲରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ।
ସୂଚନା ଅନୁଯାୟା, ଏହି ଗ୍ୟାଙ୍ଗ ଝାରଖଣ୍ଡରୁ ଆସି ଭୁବନେଶ୍ବର ସ୍ଥିତ ରସୁଲଗଡରେ ରହୁଥିଲେ । ଭଡାଘର ନେଇ ଜାମତାରା ଗ୍ୟାଙ୍ଗ ଚଲାଇଥିଲେ ସାଇବର ଲୁଟ୍ । ଜଣେ ପଲଟିକାଲ ଅନର୍ସ ଛାତ୍ର ଥିଲା ଏହାର ମାଷ୍ଟର ମାଇଣ୍ଡ । ଦଲାଲଙ୍କ ଜରିଆରେ ବ୍ୟାଙ୍କ କଷ୍ଟମରଙ୍କ ଡାଟା କିଣୁଥିଲେ । ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ସିମ ଆଣି ଠକାମି ଚଳାଇଥିଲେ ।
ପ୍ରଥମେ ଅନଲାଇନରେ ଗ୍ରାହାକକୁ ମେସେଜ କରୁଥିଲେ । ପରେ ଏସବିଆଇ ଆକାଉଣ୍ଟର କେଓ୍ବାଇସି ଭରିବା ବାହାନାରେ ଗ୍ରାହକଙ୍କୁ କଲ କରୁଥିଲେ । ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଆକାଉଣ୍ଟ ବ୍ଲକ ହୋଇଯିବ, ତୁରନ୍ତ ଅପଡେଟ କରାନ୍ତୁ କହୁଥିଲେ । ଏହାପରେ ଗ୍ରାହାକଙ୍କୁ କିଛି ଆକାଉଣ୍ଟ ଡିଟେଲ ସହ ଓଟିପି ଓ ଏଟିଏମର କାର୍ଡ ନମ୍ବର ହାତେଇ ନେଇଥିଲେ । ସେହିପରି ଅନ୍ୟ କେତେକ ବ୍ୟକ୍ତିଙ୍କୁ ଲିଙ୍କ୍ ପଠାଇ ଠକେଇ ରହୁଥିଲେ ।
ଏହିପରି ଢଙ୍ଗରେ ଲୋକଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ମନି ଟ୍ରାନ୍ସଫର କରିନେଉଥିଲେ । ପରେ ସେହି ଟଙ୍କାକୁ ୟୁପିଆଇ ଜରିଆରେ ବିଭିନ୍ନ ଆକାଉଣ୍ଟକୁ ପଠାଇ ଏହାକୁ କ୍ୟାସରେ ଉଠାଇନେଉଥିଲେ । ଏପରିକି ଅନେକ ଠକାମି ଟଙ୍କାରେ ଗିଫ୍ଟ କାର୍ଡ କରାଇ ବିଭିନ୍ନ ସପିଂ ଓ୍ବେବସାଇଟ ଓ ମଲରେ ବ୍ୟବହାର କରୁଥିଲେ । ଏହିଭଳି ଢଙ୍ଗରେ ୨୦ଟି ରାଜ୍ୟର ୧୭୧ଟି ଠକେଇ କଲ ଗୋଟିଏ ଲୋକେସନରୁ ଅପରେଟ ହେଉଥିଲା ।
ଏନେଇ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲ ଠକେଇ ରିପୋର୍ଟ ଅନୁସାରେ ଯାହାକୁ ଆଧାରକରି କ୍ରାଇମବ୍ରାଞ୍ଚ ସାଇବର ସେଲକୁ ସୂଚନା ମିଳିଥିଲା । ଯାହାକୁ ଆଧାରକରି ଚଢାଉ ପରେ ୩ ଅଭିଯୁକ୍ତ ଗିରିଡିହି ଝାରଖଣ୍ଡର ଗିରଫ ହୋଇଛନ୍ତି । ଏମାନେ ହେଉଛନ୍ତି, ପ୍ରଧୋମ ମଣ୍ଡଲ(୧୯) ଶିକ୍ଷାଗତ ଯୋଗ୍ୟତା ନବମ ପାସ୍ । ସେହିପରି କ୍ରିଷ୍ନା କୁମାର ମଣ୍ଡଲ(୨୦) ଦ୍ବିତୀୟ ବର୍ଷ ପଲିଟିକାଲ ସାଇନ୍ସ, ଚେତଲାଲ ମଣ୍ଡଲ(୨୮) ।
ଏମାନଙ୍କ ଠାରୁ ୧୧ଟି ମୋବାଇଲ, ୨ଟି ଲାପ୍ଟପ୍, ଗୋଟିଏ ଟ୍ୟାବ, ୩୩ଟି ସିମ କାର୍ଡ ଯାହାକି ବିହାର, ଝାରଖଣ୍ଡ , ପଶ୍ଚିମବଙ୍ଗର ପ୍ରିଆକ୍ଟିଭେଟେଡ ସିମ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । ସବୁଠୁ ବଡ କଥା ହେଉଛି କି କେବଳ ଓଡିଶା ନୁହେଁ ଏହିପରି ୨୦ଟି ରାଜ୍ୟରେ ଲୁଟ୍ପାତ୍ ଜାରି ରଖିଥିଲା ଏହି ଲୁଟେରା ଗ୍ୟାଙ୍ଗ ।
ଏନେଇ ଅଧିକ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଗ୍ୟାଙ୍ଗ ଭୁବନେଶ୍ବରରେ ଛାତ୍ରଙ୍କ ପରିଚୟ ଦେଇ ଗତବର୍ଷ ଡିସେମ୍ବରରୁ ଲୁଟ୍ପାତ୍ ଜାରିରଖିଥିଲେ । ଆଜି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ