ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ମାଟି ତଳେ ଗୁମୁରି କାନ୍ଦୁଛି କଙ୍କାଳ ! କବର ଖୋଳି ତା ଭିତରେ ପୁଣି କବର ଦିଆଯାଉଛି । ଅର୍ଥାତ ମୃତଦେହକୁ ମିଳୁନି ଇଞ୍ଚେ ଜାଗା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସ୍ମାର୍ଟସିଟି ଭୁବନେଶ୍ୱରରେ ।
ମଣିଷ ସମାଜ ପାଇଁ ମହାମାରୀ କରୋନା ଆଣିଦେଇଛି ଅସରନ୍ତି ଦୁଃଖ, ଏପରିକି କୋଭିଡରେ ମୃତ୍ୟୁବରଣ କଲେ ସେମାନଙ୍କୁ ପୋଡ଼ିବା ବା କବର ଦେବାକୁ ମିଳୁନି ଜାଗାଟିଏ ।
ରାଜଧାନୀ ଭୁବନେଶ୍ବର ସତ୍ୟନଗର ସ୍ମଶାନରେ ଜୁଇ ଲିଭୁ ନଥିବା ବେଳେ ଏହାର ସଲଗ୍ନରେ ଥିବା କବର ସ୍ଥାନରେ ଗୋଟିଏ ସ୍ଥାନରେ ଏକାଧିକ ମୃତଦେହ କୁ କବର ଦେବାକୁ ପଡୁଛି ,ଫଳରେ ପୁରୁଣା କବର ଖୋଲିଲା ବେଳେ ବାହାରୁଛି ବଡ ବଡ କଙ୍କାଳ । ଉକ୍ତ କବରସ୍ଥାନ କର୍ତ୍ତୃପକ୍ଷ ଙ୍କ ଅଭିଯୋଗ କବରସ୍ଥାନ କଙ୍କାଳମୟ ହୋଇ ଗଲାଣି । ଯେଉଁଠି ଖୋଲିଲେ ବଡ ବଡ ହାଡ଼ କଙ୍କାଳ ବାହାରୁଛି ।
ଭୁବନେଶ୍ୱର ସତ୍ୟ ନଗରରେ ଦୀର୍ଘ ୫୦ ବର୍ଷ ହେବ ଗୋଟିଏ ମାତ୍ର କବର ସ୍ଥାନ ରହିଛି । ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କବରସ୍ଥାନ ପ୍ରାୟ ଦେଢ଼ ଏକର ପରିମିତ ଜାଗା ଉପରେ ଛିଡା ହୋଇଛି । କବରସ୍ଥାନରେ ୭୦୦ ମୃତଦେହ କବର ଦିଆଯିବାର କ୍ଷମତା ଥିବାବେଳେ ଦୈନିକ ୭ ରୁ ୮ ଟି କୋଭିଡ ମୃତକଙ୍କ ମରଶରୀର ଆସୁଛି । ତେବେ ବାଧ୍ୟ ହୋଇ ପୂର୍ବରୁ ଥିବା କବରକୁ ଖୋଳାଯାଇ ମୃତଦେହ କବର ଦିଆଯାଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କବରସ୍ଥାନ ପରିଚାଳକ ।
ଭୁବନେଶ୍ୱରରେ ଭରତପୁର, ଝାରପଡା, ମେହେରପାଲି, ଯଦୁପୁର ଓ କପିଳ ପ୍ରସାଦରେ ମୁସଲମାନ ସମ୍ପ୍ରଦାୟଙ୍କ କବରସ୍ଥାନ ରହିଛି । ଭୁବନେଶ୍ୱରରେ ଆଉ ଏକ କବର ସ୍ଥାନ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଯାଇଛି । ତେବେ ଜାଗା ମିଳିବା ନେଇ ସ୍ପଷ୍ଟ ସଂକେତ ମିଳିବା ପରେ କବର ସ୍ଥାନ ପାଇଁ ଆଲୋଚନା ହେବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ।
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ