ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳୀକୁ ଆଉ ଗୋଟିଏ ଦିନ ବାକି ରହିଛି । ଆନନ୍ଦ ଓ ଉଲ୍ଲାସରେ ପର୍ବଟିକୁ ମନ ଭରି ଉପଭୋଗ କରିବାକୁ ଗାଁ ଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇଉଠିଛି । ତେବେ ହସଖୁସିର ଏହି ପର୍ବରେ ସାମାନ୍ୟ ପାଗକୁ ନେଇ ଚିନ୍ତାରେ ପଡିଛନ୍ତି ସାଧାରଣ ଲୋକ ଓ ବାଣ ବେପାରୀ ।
ଦୁଇ ଦିନର ଲଘୁଚାପର ଲଗାଣ ବର୍ଷା ପରେ ଦୀପାବଳୀକୁ ନେଇ ମନରେ ଭୟ ପଶିଛି ବେପାରୀଙ୍କର । ଲଗାଣ ବର୍ଷାରେ ରାଜଧାନୀ ଭାସୁଥିବାବେଳେ ଛାନିଆରେ ବେପାରୀ । ଲକ୍ଷ ଲକ୍ଷ ଟଙ୍କାର ବାଣ ଆଣି ବେପାର କରିବା ନିଶା ମନରୁ ଲିଭିଯାଇଛି । ଆଉ ଦିନକ ପରେ ଆଲୋକର ପର୍ବ । ବର୍ଷାକୁ ଦୃଷ୍ଟିରେ ରଖି ପ୍ରାୟତଃ ଦୋକାନ ଖୋଲିନଥିବା ନଜରକୁ ଆସିଛି ।
କୋହଲା ପାଗ, ତା ସାଙ୍ଗକୁ ବର୍ଷା । ବାଣ କିଣାରେ ସେତେ ଉତ୍ସାହ ଦେଖାଉନାହାନ୍ତି ଲୋକେ । ଟାଣ ଖରା ନାହିଁ । ଓଦା ବାଣ ଶୁଖିବାକୁ ସମୟ ବି ନାହିଁ । କାଳେ ଫୁଟିବନି, ଘାରିଛି ଡର । ସେଥିପାଇଁ ଆଗ ଅପେକ୍ଷା କମିଛି ବାଣକିଣା । ସେପଟେ ଲକ୍ଷ ଲକ୍ଷ ଟଙ୍କାର ବାଣ କିଣିଛି ବେପାରୀ । ହେଲେ ବେପାର ମାନ୍ଦା ହେବା ଚିନ୍ତାରେ ବ୍ୟବସାୟୀ ।
ପାଖେଇ ଆସୁଛି ଦୀପାବଳି । ହେଲେ ଚିନ୍ତା ବଢାଉଛି ବର୍ଷା । ବେପାରୀ ଓ ଗ୍ରାହକ ଉଭୟ ନିରାଶ । ଆଶା ଗୋଟିଏ ଦିନ ପୂର୍ବରୁ ହେଉ ପଛେ, ଟିକେ ଟାଣ ଖରା ହେଉ । ବେପାରୀ ଚାହୁଁଛି କ୍ଷତିରେ ନ ଚାଲୁ ବ୍ୟବସାୟ, ଗ୍ରାହକ ଚାହୁଁଛି ଖୁସିରେ ପାଳୁ ଉତ୍ସବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ