ଭୁବନେଶ୍ବର: ଆସନ୍ତା 25ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରସ୍ତୁତି ଓ ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ।
ବାଚସ୍ପତି କହିଛନ୍ତି ବଜେଟ ଅଧିବେଶନ ପାଇଁ 23,24 ତାରିଖରେ ବିଧାୟକ, ଗଣମାଧ୍ୟମ ପ୍ରତିନିଧି, ବିଧାନସଭା କର୍ମଚାରୀ ମାନଙ୍କର କୋଭିଡ ଟେଷ୍ଟ ହେବ । ପୌର ନିର୍ବାଚନ ପ୍ରଚାର ଚାଲିଥିବାରୁ ସର୍ବାଧିକ ବିଧାୟକ ମନ୍ତ୍ରୀ ବର୍ତ୍ତମାନ ନିଜନିଜ ଅଞ୍ଚଳରେ ଅଛନ୍ତି । ତେଣୁ ଯେଉଁ ସଦସ୍ୟ ମାନେ ଜିଲ୍ଲା ସ୍ତରରେ ଅଛନ୍ତି, ସେମାନଙ୍କର ଜିଲ୍ଲାସ୍ତରରେ କୋଭିଡ ଟେଷ୍ଟ ହେବ । ଏନେଇ ବିଧାନସଭା ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଜିଲ୍ଲା ପ୍ରଶାସନ ବିଧାନସଭାକୁ ପଠାଇବେ । ଯେଉଁ ସଦସ୍ୟ ମାନେ କୌଣସି କାରଣରୁ ଯଦି ଜିଲ୍ଲାସ୍ତରରେ ମଧ୍ୟ କରିନଥିବେ ତେବେ ତାଙ୍କର ଭୁବନେଶ୍ବରରେ ହେବ ।
ସେହିପରି ଯେଉଁ ସଦସ୍ୟ ମାନେ ବିଧାନସଭା ନଆସି ଭିସି ଯୋଗେ ଯୋଡି ହେବା ପାଇଁ ଚାହିଁବେ ମଧ୍ୟ ରହି ପାରିବେ । ଏଥିପାଇଁ ଜିଲ୍ଲା ମୁଖ୍ୟାଳୟ, ଓକାକ ବିଲ୍ଡିଂ, ଲୋକସେବା ଭବନରେ ବ୍ୟବସ୍ଥା କରାଯାଇଛି ।
ସେହିଭଳି ସର୍ବଦଳୀୟ ବୈଠକରେ ବିରୋଧୀ ପ୍ରଶ୍ନକାଳ ବୃଦ୍ଧି ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ, କାହାକୁ ବାଚସ୍ପତି ଗ୍ରହଣ କରିନାହାଁନ୍ତି । କହିଛନ୍ତି ସର୍ବଭାରତୀୟସ୍ତରରେ ପ୍ରଶ୍ନକାଳ ଗୋଟିଏ ଘଣ୍ଟା ରହିଛି । କିନ୍ତୁ ଆମେ ଅତିରିକ୍ତ ପ୍ରଶ୍ନ ପରିବର୍ତ୍ତେ ଅଧିକରୁ ଅଧିକ ପ୍ରଶ୍ନ ନେବା ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦେଇଛୁ ବୋଲି ବାଚସ୍ପତି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ