ଭୁବନେଶ୍ବର: କୋରୋନାରେ ଆକ୍ରାନ୍ତ ହେଇ ହସ୍ପିଟାଲ ଶଯ୍ୟାରେ ଜୀବନ ସହ ସଂର୍ଘଷ କରୁଛନ୍ତି 24 ବର୍ଷୀୟ ଅମ୍ରିତ ପ୍ରଧାନ । ଘର ବ୍ରହ୍ମପୁର । ତେବେ ଅମ୍ରିତଙ୍କର ଫୁସଫୁସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏପଟେ ଏକ ମାତ୍ର ପୁଅକୁ ଏପରି ଅବସ୍ଥାରେ ଦେଖି କୋହ ସମ୍ଭରଣ କରିପାରୁନାହାନ୍ତି ବାପା ମା’ । ଅମ୍ରିତ ପ୍ରତ୍ୟେକ ଦିନ ଜୀବନ ସହ ସଂଘର୍ଷ କରୁଥିବାବେଳେ, ପରିବାର ଆଖିରୁ ଶୁଖୁନି ଲୁହ ।
ଫୁସଫୁସ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ବିପୁଳ ପରିମାଣର ଅର୍ଥ । ପାଖାପାଖି 2 ରୁ 3 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ମା’ଙ୍କ ମୁଣ୍ଡରେ ଚଡକ ପଡିଛି । ଘର, ଢିହ, ସୁନା ଅଳଙ୍କାର ବିକିଲେ ମଧ୍ୟ ଏତେ ଟଙ୍କା ହେବ ନାହିଁ । ଏପଟେ ପୁଅର ଚିକିତ୍ସା ନେଇ ବାପା ମା’ ଉଭୟ ଭୁବନେଶ୍ବରରେ ଏକ ମାସ ହେଲା ରହିଆସୁଛନ୍ତି ।
ସିଟି ସ୍କାନ କରିବାରୁ ରିପୋର୍ଟରେ ଜଣାପଡ଼ିଥିଲା ତାଙ୍କର ନିମୋନିଆ ପରେ ସେପ୍ଟିସେମିଆ ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇ ୫୦ ପ୍ରତିଶତ ନଷ୍ଟ ହୋଇଗଲାଣି । ତେବେ ଇକମୋ ଚିକିତ୍ସା ସହ ଫୁସଫୁସ ପ୍ରତିରୋପଣ କରାଗଲେ ସେ ବଞ୍ଚିପାରିବେ ବୋଲି ଡାକ୍ତର କହିଛନ୍ତି।
ଏନେଇ ତାଙ୍କ ପରିବାର ଲୋକେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ । ସେଠାରୁ ଉତ୍ତମ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଅମ୍ରିତଙ୍କ ପାଇଁ ଫୁସଫୁସ ଯୋଗାଡ କରାଯାଇଛି । ଏପରିକି ଆସନ୍ତାକାଲି(ମଙ୍ଗଳବାର) ହାଇଦ୍ରାବାଦରୁ ଏକ ଡାକ୍ତରୀ ଟିମ ଭୁବନେଶ୍ବର ଆସିବ ବୋଲି କହିଛନ୍ତି ପରିବାର ଲୋକେ । ତେବେ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ଯିବା ଓ ସେଠାରେ ଚିକିତ୍ସା ପାଇଁ ଆବଶ୍ୟକ ବିପୁଳ ଅର୍ଥ ।
ଏଭଳି ସ୍ଥିତିରେ ଅମ୍ରିତଙ୍କ ଚିକିତ୍ସା ପାଇଁ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କୁ ଇକମୋ ଚିକିତ୍ସା ସହ ଭେଣ୍ଟିଲେଟରର ବହୁଳତାକୁ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ସେହିପରି କ୍ରିକେଟର ଇରଫାନ ପଠାନ ଓ କ୍ରିକେଟ୍ କମେଣ୍ଟେଟର ଯତୀନ ସାପ୍ରୁ ମଧ୍ୟ ଇକମୋ ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି ।