ଢେଙ୍କାନାଳ: ଆଜି ରଜ ଉତ୍ସବ । ଘରେ ଘରେ ପିଠା ପଣାର ଆସର । ତେବେ କୋରନା ମହାମାରୀ ଏହି ଉତ୍ସବର ଉତ୍ସାହକୁ ଫିକା କରିଦେଇଛି । ଏପରିକି ସଂକ୍ରମଣ ଆଶଙ୍କାରେ ଢେଙ୍କାନାଲ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାଶ, ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଶ୍ରୀରାମ ମନ୍ଦିର, ଢେଙ୍କାନାଲ ସହରର ବଳରାମ ଜୀଉ, କୁଆଁଳ ସ୍ଥିତ ଅଷ୍ଟସମ୍ଭୁ ଓ ହିନ୍ଦୋଳ ଚିତଲପୁର ସ୍ଥିତ ଉଗ୍ରେଶ୍ବର ମହାଦେବଙ୍କ ସମେତ ୧୬ଟି ମନ୍ଦିର ପରିସରରେ ୧୪୪ଧାରା କରାଯାଇଛି । ଅପରପକ୍ଷରେ ବହୁ ପୁରାତନ ହିନ୍ଦୋଳ ରଞ୍ଜାଗୋଳ ରଜ ଯାତ୍ରା ଉପରେ କଡା କଟକଣା ଜାରି କରାଯାଇଛି । ଫଳରେ ଦେବଦେବୀ ମନ୍ଦିର ଦର୍ଶନ ଉପରେ କଟକଣା ଲାଗୁକରିଛନ୍ତି ଜିଲ୍ଲା ପ୍ରଶାସନ । ସେପଟେ ସହର ହେଉ ଅଥବା ଗ୍ରାମାଞ୍ଚଳ, ସବୁଠି ଦୋଳି ଖେଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଫଳରେ ଚଳିତ ବର୍ଷ ଜିଲ୍ଲାର ମଠ ମନ୍ଦିର ଗୁଡିକ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବାବେଳେ ଏହି ମହାମାରୀ ରଜର ମାହୋଲକୁ ପୁରା ଫିକା କରିଦେଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ