ଭୁବନେଶ୍ବର: ଜୁନିଅର ପୁରୁଷ ହକି ବିଶ୍ବ କପ(Junior Mens Hockey WC) ମ୍ୟାଚରେ ଦର୍ଶକଙ୍କୁ ଦେଖି ତାଜୁବ ଅନ୍ୟ ଦର୍ଶକ । କାରଣ କଡା ସୁରକ୍ଷା ମଧ୍ୟରେ ଖେଳାଯାଉଥିବା ମ୍ୟାଚକୁ ଦର୍ଶକ କିପରି ପ୍ରବେଶ କରୁଛନ୍ତି ସେନେଇ ନାନା ପ୍ରଶ୍ନ ।
ସୂଚନା ଅନୁଯାୟୀ ଶନିବାର ଭାରତ-ପୋଲାଣ୍ଡ ମ୍ୟାଚରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ବ କପ ମ୍ୟାଚରେ ପ୍ରବଳ ଦର୍ଶକଙ୍କୁ ଦେଖିବାକୁ ମିଳିଛି । ପିଲା ଠୁ ବୁଢା ସମସ୍ତେ ଷ୍ଟାଡିୟମରେ ବସି ଚିୟର ଅପ୍ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଭିଡ କଟକଣା ଗଲା କେଉଁଆଡେ । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର, ହକି ଇଣ୍ଡିଆ ଏବଂ FIH ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ମାତ୍ର ଅନ୍ୟ ଦିନ ଷ୍ଟାଡିୟମ୍ ଖାଲି ପଡୁଥିବାବେଳେ ଭାରତ ମ୍ୟାଚରେ ହଠାତ୍ ଗ୍ୟାଲେରୀ ଫୁଲ୍ ହେଉଛି କିପରି ।
ଷ୍ଟାଡିୟମରେ ଏପରି ଭିଡ ସୃଷ୍ଟି କରୁଛି ନାନା ପ୍ରଶ୍ନ । ଦର୍ଶକଙ୍କ ପାଇଁ ଟିକେଟ୍ କିମ୍ବା ପାସ୍ ବ୍ୟବସ୍ଥା ନ ଥିବାବେଳେ ଏମାନେ ଷ୍ଟାଡିୟମକୁ ଯାଉଛନ୍ତି କିପରି । ଖେଳାଳିଙ୍କ ଠାରୁ ଆରମ୍ଭ କରି ସୁରକ୍ଷାକର୍ମୀ ଏବଂ ସାମ୍ବାଦିକଙ୍କର ପ୍ରତି ୪୮ ଘଣ୍ଟାରେ RTPCR ଟେଷ୍ଟ କରାଯାଉଛି । ବାୟୋ ବବଲ୍ ମଧ୍ୟରେ ଖେଳାଳିଙ୍କୁ ରଖାଯାଉଛି । ହେଲେ ଦର୍ଶକ କେଉଁ ଟେଷ୍ଟ ଏବଂ ପାସ୍ ନେଇ ଷ୍ଟାଡିୟମକୁ ଯାଉଛନ୍ତି ତାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ