ଭୁବନେଶ୍ବର: ଦେଶରେ କୋରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ଧୀରେ ଧୀରେ କୋରୋନା ଗ୍ରାଫ ଉପରକୁ ଉଠୁଛି । ଭୁବନେଶ୍ବର ଓ ଖୋର୍ଦ୍ଧାରେ ପଜିଟିଭ କେସ ଅଧିକ ରହୁଥିବା ବେଳେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ମଣିଷରୁ ମଣିଷକୁ ଚେନ ମାଧ୍ୟମରେ ଏହା ବ୍ୟାପୁଥିବାରୁ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ ରହିବା ଲାଗି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନିରଞ୍ଜନ ମିଶ୍ର ।
ସେ ଆହୁରି କହିଛନ୍ତି ଯେ, "ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ମାନିବାର ଆବଶ୍ୟକତା ରହିଛି । କୋଭିଡ଼ ସଂକ୍ରମଣକୁ କିଛି ଦିନ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । କାରଣ ଦିଲ୍ଲୀ ଭଳି ସହରରେ କୋରୋନା ବଢିଲା ଓ ପୁନର୍ବାର କମିଯାଇଥିଲା । ସେଥିପାଇଁ ସଠିକ ଅନୁଧ୍ୟାନ ନିତାନ୍ତ ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା କିଛି ନୂଆ ଭାରିଏଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନାହିଁ ।"
ରାଜ୍ୟରେ ସଂକ୍ରମଣର ଗତ ୭ ଦିନର ତଥ୍ୟ ଦେଖିଲେ ଆଜି ରାଜ୍ୟରେ ୩୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବରେ ୧୭ ତାରିଖରେ ରାଜ୍ୟରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୫ ଜଣ ସଂକ୍ରମିତ ହୋଇଛନ୍ତି । ୧୬ ତାରିଖରେ ରାଜ୍ୟରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି । ଗତ ୧୫ ତାରିଖରେ ରାଜ୍ୟରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି ୧୬ଜଣ ।
ସେହିପରି ୧୪ ତାରିଖରେ ରାଜ୍ୟରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୯ ଜଣ ଚିହ୍ନଟ ହୋଇଛନ୍ତି । ୧୩ ତାରିଖରେ ରାଜ୍ୟରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ ତାରିଖରେ ରାଜ୍ୟରେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ଏବଂ ୧୧ ତାରିଖରେ ରାଜ୍ୟରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର