ଭୁବନେଶ୍ବର: କାର୍ଯ୍ୟରତ ସମସ୍ତ ଫିଲ୍ଡ ସାମ୍ବାଦିକଙ୍କୁ ବିଏମସି ପକ୍ଷରୁ କୋଭିଡ-୧୯ ରାପିଡ ଟେଷ୍ଟ କରାଯାଇଛି। ସୋମବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସାଉଥ ଇଷ୍ଟ ଜୋନରେ ଥିବା ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ କୋଭିଡ-୧୯ ରାପିଡ ବ୍ଲଡ ଟେଷ୍ଟିଙ୍ଗ କରାଯାଇଛି । ପ୍ରାୟ ୧୮୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ତନ୍ମଧ୍ୟରୁ ପ୍ରାୟ ୮୦ ଜଣ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିଙ୍କର ରାପିଡ ଟେଷ୍ଟ ହୋଇଛି । ଆଉ ବାକି ୧୦୦ ଜଣ ଭୁବନେଶ୍ବର ୟୁନିଟ ୧ ହାଟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଥିଲେ ।
ଲକଡାଉନ ସମୟରେ ଦେଶରେ ୧୭୦ ଟି ହଟସ୍ପଟ ଜିଲ୍ଲା ଘୋଷଣା ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ୭ ଦିନରେ ପର୍ଯ୍ୟାୟକ୍ରମେ ୫୦୦୦ ରାପିଡ ଟେଷ୍ଟ କରାଯିବା ନେଇ ଘୋଷଣା ହୋଇଥିଲା । ସୋମବାର ଏହି ରାପିଡ ଟେଷ୍ଟ ତୃତୀୟ ଦିନରେ ପହଁଞ୍ଚିଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ତିନି ଜଣିଆ ଡାକ୍ତରୀ ଟିମ, ୨ ଶିକ୍ଷୟିତ୍ରୀ ଓ ବିଏମସି ପରିମଳ କର୍ମଚାରୀ ଏହି ରାପିଡ ଟେଷ୍ଟରେ ସାମିଲ ହୋଇଛନ୍ତି । ଅଙ୍ଗନବାଡି ଦିଦି, ଆଶାକର୍ମୀମାନେ ବୁଲି ବୁଲି ଲୋକମାନଙ୍କୁ ସଚେତନ କରିବା ସହ ରାପିଡ ଟେଷ୍ଟ କରାଇବାକୁ ନେଇ ପରାମର୍ଶ ଦେଉଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ